Latest Odisha News

BREAKING NEWS

ଦୁର୍ଘଟଣା ରୋକିବାକୁ ବଡ଼ ପଦକ୍ଷେପ: ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ। ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି। ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ପ୍ରତ୍ୟେକ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ । ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ସୁରକ୍ଷିତ ଘର ବାହୁଡ଼ା ଉପରେ ଗୁରୁତ୍ବ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା ।

ଏହି ବୈଠକରେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି। ନିୟମ ଭଙ୍ଗକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ନେବା। ନିୟମିତ ଚେକିଂ ସହ ହେବ ଜରିମାନା ଆଦାୟ କରିବା ସହ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ ପାଇଁ ନିଷ୍ପତ୍ତି ହୋଇଛି। ଏପରିକି ରାଜ୍ୟରେ ସଡ଼କ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ଖରାପ ଥିବା ରାସ୍ତାର ମରାମତି, ମଦ୍ୟପାନ କରି ଗାଡି ଚାଳନାକୁ ରୋକିବା, ସିସି ଟିଭି ନେଟୱାର୍କ, ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁର୍ଘଟଣାକୁ କମ କରିବା ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା ।

Comments are closed.