ମସ୍କୋ: ବ୍ଲାକ ସି ଉପକୂଳରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁ ମଙ୍ଗଳବାର ଦିନ ଏକ ତେଲ ଟ୍ୟାଙ୍କର୍ରେ ନିଆଁ ଲାଗିଯାଇଥିଲା।
ରୁଷିଆନ୍ ଅଧିକାରୀମାନେ କହିଛନ୍ତି ଯେ ଲାଇବେରିଆନ୍ ପତାକା ବହନ କରୁଥିବା ତେଲ ଟ୍ୟାଙ୍କର୍ରେ ୨୩ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଋଷିଆନ୍ ପରିବହନ ମନ୍ତ୍ରଣାଳୟ କହିଛି ଯେ ମଙ୍ଗଳବାର ଦିନ ଋଷିଆନ୍ ରିସର୍ଟ ସହର ସୋଚି ନିକଟସ୍ଥ ବ୍ଲାକ ସିରେ ଏକ ଡ୍ରୋନ୍ ଦ୍ୱାରା ଆକ୍ରମଣ ପରେ ଆଫ୍ରାମାକ୍ସ ରିଓ ନାମକ ଟ୍ୟାଙ୍କର୍ରେ ନିଆଁ ଲାଗିଯାଇଥିଲା।
ସୂଚନା ଅନୁଯାୟୀ, ଏଥିରେ ଥିବା ସଦସ୍ୟ ଆହତ ହୋଇ ନାହାଁନ୍ତି। ଜରୁରୀକାଳୀନ ଦଳଗୁଡ଼ିକ ତୁରନ୍ତ ଏଥିରେ ଥିବା ସମସ୍ତ ୨୩ ଜଣଙ୍କୁ ଉଦ୍ଧାର କରିଥିଲେ। ଆକ୍ରମଣ ଯୋଗୁଁ ବ୍ଲାକ ସିରେ ଅଶୋଧିତ ତେଲ ଜଳି ଉଠିଥିଲା, ଯାହା ଫଳରେ ଉଚ୍ଚ ଅଗ୍ନିଶିଖା ଏବଂ ଧୂଆଁ ବାହାରିଥିଲା। ବୋର୍ଡରେ ଥିବା ସମସ୍ତ କ୍ରୁ ସଦସ୍ୟ ଭାରତୀୟ ନାଗରିକ ଥିଲେ।
ଆକ୍ରମଣର ଭିଡିଓଗୁଡ଼ିକରେ ସୋଚି ଉପକୂଳରୁ ସମୁଦ୍ରରେ କଳା ଧୂଆଁର ଏକ ବଡ଼ ସ୍ତର ଉପରକୁ ଉଠୁଥିବା ଦେଖାଯାଉଛି। ଘଟଣା ପରେ ସିରିୟସ୍ ଫେଡେରାଲ୍ ରିଜିଅନ୍ କର୍ତ୍ତୃପକ୍ଷ ଉପକୂଳକୁ ବନ୍ଦ କରିଦେଇଛନ୍ତି। ଜଳ ଏବଂ ବାୟୁ ଗୁଣବତ୍ତା ପରୀକ୍ଷା କରାଯାଉଛି।
ରୁଷର ପରିବହନ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଏକ ମାନବିହୀନ ଜାହାଜ ଦ୍ୱାରା କରାଯାଇଥିବା କହିଛନ୍ତି। ଏଥିସହିତ ଏହା ବ୍ଲାକ ସିରେ ବାଣିଜ୍ୟିକ ଜାହାଜ ଉପରେ ବର୍ଦ୍ଧିତ ଆକ୍ରମଣ ମଧ୍ୟରେ ଘଟିଛି। ଋଷ ଏବଂ ୟୁକ୍ରେନ ଉଭୟ ବ୍ଲାକ ସି ଚାରିପାଖରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବାରେ ଲାଗିଛନ୍ତି।
ମାତ୍ର ଗୋଟିଏ ଦିନ ପୂର୍ବରୁ ବ୍ଲାକ ସିରେ ଏକ ଭାରତୀୟ କ୍ରୁ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ କ୍ୟାପ୍ଟେନଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ, ଜାହାଜରେ ନିଆଁ ଲାଗିଯାଇଥିଲା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୟୁକ୍ରେନୀୟ ରାଷ୍ଟ୍ରପତି ଏହି ଆକ୍ରମଣ ପାଇଁ ରୁଷକୁ ଦାୟୀ କରିଥିଲେ।

