Latest Odisha News

ଛୁଟି ଦେଲେନି ପ୍ରଧାନ ଶିକ୍ଷୟତ୍ରୀ, ହାତରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ବଲାଙ୍ଗିର: ଅସୁସ୍ଥତା ହେତୁ ମାଗିଲେ ଛୁଟି । ହେଲେ ଛୁଟି ମଞ୍ଜୁର କଲେନି ପ୍ରଧାନ ଶିକ୍ଷକ । ସେଥିପାଇଁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟରୁ ସାମ୍ନକୁ ଆସିଛି ଏଭଳି ଅଭାବନୀୟ ଖବର । ଶିକ୍ଷକ ଜଣଙ୍କ ସ୍କୁଲକୁ ସାଲାଇନ ଲଗାଇ ଆସିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଘଟଣାର ତଦନ୍ତ କରି ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପାଟଣାଗଡ଼ ବ୍ଲକ ଶିକ୍ଷାଅଧିକାରୀ ଶଙ୍କର ପ୍ରସାଦ ମାଝୀ ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଭଇଁସା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇ ଦେହ ଅସୁସ୍ଥ ଥିବା ନେଇ ସୋସିଆଲ ମିଡିଆ ହ୍ବାଟ୍ସଆପରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । କିନ୍ତୁ ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପ୍ରଧାନ ଛୁଟି ମଞ୍ଜୁର କରିନଥିଲେ ଏବଂ ସ୍କୁଲ ଆସିବାକୁ ପଡ଼ିବ ବୋଲି ତାଗିଦ କରିଥିଲେ । ତେଣୁ ବାଧ୍ୟ ହୋଇ ସାଲାଇନ ଲଗାଯାଇଥିବା ଅବସ୍ଥାରେ ସ୍କୁଲକୁ ଆସିଥିଲେ ଶିକ୍ଷକ ପ୍ରକାଶ ଭୋଇ । ତେବେ ଭାଇରାଲ ଭିଡିଓରେ ପ୍ରକାଶ ଦୃର୍ବଳତା ଯୋଗୁଁ ସେ ଠିକରେ ଚାଲି ପାରୁ ନଥିବା ବେଳେ ହାତରେ ସାଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଏଥିସହ ଦୁଇ ଜଣ ବ୍ୟକ୍ତି ଦୁଇ ପଟରୁ ତାଙ୍କୁ ଧରି ସ୍କୁଲ ଆଣୁଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଅଭିଯୋଗ ହେବା ପରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.