ନୂଆଦିଲ୍ଲୀ: ବିହାରରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସରଗରମ ହୋଇଛି ରାଜନୀତି । ଗ୍ରାଉଣ୍ଡରେ ସବୁ ରାଜନୈତିକ ଦଳ ସକ୍ରିୟ । ତେବେ ସବୁଠୁ ବଡ କଥା ହେଲା, ଏବେ ବିହାରକୁ ଘନ ଘନ ଗସ୍ତ କରୁଛନ୍ତି ବାବା । ବାଗେଶ୍ବର ଧାମର ପୀଠଧିଶ୍ବର ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀ ବିହାରର ଗୋପାଳଗଞ୍ଜରେ କଥା ଶୁଣାଉଛନ୍ତି ତ ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ପାଟନାରେ ସତସଙ୍ଗ କରୁଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତ ବିହାରରେ ୫ଦିନିଆ ଗସ୍ତରେ ରହିଛନ୍ତି । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବାବାଙ୍କ ଗସ୍ତକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, କାହା ପାଇଁ ରାଜନୈତିକ ପିଚ୍ ପ୍ରସ୍ତୁତ କରୁଛନ୍ତି ବାବା?
ଲାଲୁଙ୍କ ଗଡ଼ରେ ଧୀରେନ୍ଦ୍ର ଶାସ୍ତ୍ରୀ
ବିହାରର ଗୋପାଳଗଞ୍ଜରେ ଗୁରୁବାର ପହଞ୍ଚିଥିଲେ ବାଗେଶ୍ବର ଧାମର ପୀଠାଧୀଶ ଧୀରେନ୍ଦ୍ର ଶାସ୍ତ୍ରୀ । ଗୋପାଳଗଞ୍ଜ ଜିଲ୍ଲାର ରାମନଗରରେ ଥିବା ଶ୍ରୀରାମ ଜାନକୀ ମଠରେ ସେ ହନୁମନ୍ତ କଥା ଶୁଣାଉଛନ୍ତି । ୬ରୁ ୧୦ମାର୍ଚ୍ଚ ପର୍ଯ୍ୟନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ସେ ଦେଶର ହିନ୍ଦୁଙ୍କୁ ଜାଗ୍ରତ କରିବାକୁ ଆସିଛନ୍ତି । ସେ କେବଳ ନିଜ ଲଢେଇ ଲଢୁନାହାନ୍ତି ବରଂ ବିଶ୍ବର ୧୫୦ କୋଟି ହିନ୍ଦୁଙ୍କ ଲଢେଇ ଲଢୁଥିବା କହିଛନ୍ତି । ସେ ବିହାର ଆସିବା ଯୋଗୁଁ ଅନେକ ଲୋକ ଅସନ୍ତୁଷ୍ଟ । ତେବେ ସେ କୌଣସି ଦଳ ପାଇଁ ଆସିନାହାନ୍ତି ବରଂ ହିନ୍ଦୁଙ୍କ ପାଇଁ ଆସିଥିବା କହିଛନ୍ତି । ଗୋପାଳଗଞ୍ଜ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ଗଡ଼ ରହିଆସିଛି। ଲାଲୁଙ୍କ ଗଡରେ ଧୀରେନ୍ଦ୍ର ଶାସ୍ତ୍ରୀ ହିନ୍ଦୁଙ୍କ ଅସ୍ତିତ୍ବ ଓ ସୁରକ୍ଷାକୁ ନେଇ ବୟାନ ଦେବା ସହ ପରୋକ୍ଷରେ ରାଜନୈତିକ ସନ୍ଦେଶ ଦେଇଥିବା କୁହାଯାଉଛି ।
ବିହାରରେ ଶ୍ରୀ ଶ୍ରୀ ରବିଶଙ୍କର
ବିହାରର ରାଜଧାନୀ ପାଟନାର ଗାନ୍ଧୀ ମଇଦାନରେ ଶୁକ୍ରବାର ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ସତସଙ୍ଗକୁ ସମ୍ବୋଧନ କରିଥିଲେ । କାର୍ଯ୍ୟକ୍ରମରେ ସୋମନାଥ ମନ୍ଦିର ଶିବଲିଙ୍ଗର ଅବଶେଷର ପୂଜା କରାଯାଇଥିଲା। ୧୦୨୬ମସିହାରେ ମହମ୍ମଦ ଗଜନୀ ଦ୍ବାରା ସୋମନାଥ ମନ୍ଦିର ଶିବଲିଙ୍ଗ ଖଣ୍ଡିତ କରାଯାଇଥିଲା । ବିହାର ପହଞ୍ଚିବା ପରେ ଶ୍ରୀ ଶ୍ରୀ ରବିଶଙ୍କର ଗୁରୁବାର ସଂଧ୍ୟାରେ ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀଙ୍କୁ ଭେଟିଥିଲେ । ଶୁକ୍ରବାର କାର୍ଯ୍ୟକ୍ରମରେ ମଧ୍ୟ ବିହାର ସରକାରଙ୍କର ଅନେକ ମନ୍ତ୍ରୀ, ନେତା ଉପସ୍ଥିତ ରହିଥିଲେ ।
ମୁଜାଫରପୁରରେ ମୋହନ ଭାଗବତ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ରବିବାର ପର୍ଯ୍ୟନ୍ତ ବିହାର ଗସ୍ତରେ ରହିଛନ୍ତି । ବିହାରର ବିଜେପି ନେତା ସ୍ବୟଂ ସେବକଙ୍କ ସହ ସିଧା ସଳଖ ଆଲୋଚନା କରୁଛନ୍ତି ଭାଗବତ । କୁହାଯାଉଛି, ବିହାର ନିର୍ବାଚନ ପୂର୍ବରୁ ଏଜେଣ୍ଡା ସେଟ୍ କରୁଛନ୍ତି ମୋହନ ଭାଗବତ । ଦିଲ୍ଲୀ, ମହାରାଷ୍ଟ୍ର ଓ ହରିୟାଣାରେ ଆରଏସଏସର ମାଇକ୍ରୋ ମ୍ୟାନେଜମେଣ୍ଟ ଯୋଗୁଁ ବିଜେପି ଜିତିଥିବା ଚର୍ଚ୍ଚା ହୋଇଥିଲା । ଏହାପରେ ବିହାରକୁ ଫୋକସ୍ କରିଛନ୍ତି ସଂଘ । ମୋହନ ଭାଗବତ ତୃଣମୂଳସ୍ତରରୁ ବିଜେପି ପାଇଁ ପ୍ରସ୍ତୁତି କରୁଥିବା କୁହାଯାଉଛି । ବିହାର ଗୟା ଜିଲ୍ଲାର ଦଶରଥ ମାଞ୍ଝିଙ୍କ ଉଦାହରଣ ଦେବା ସହ ନିର୍ବାଚନୀ ବର୍ଷରେ ବଡ ସନ୍ଦେଶ ଦେଇଛନ୍ତି ଭାଗବତ ।
ବିହାରରେ ଜାତି ବନାମ ଧର୍ମ
ବିହାର ରାଜନୀତିରେ ସବୁବେଳେ ଜାତିଗତ ସମୀକରଣର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆରଜେଡି ଓ କଂଗ୍ରେସ ବିହାରରେ ଜାତି ଗଣିତ କଷି ଆଗାମୀ ନିର୍ବାଚନ ଜିତିବାକୁ ଯୋଜନା କରୁଛନ୍ତି । ତେବେ ବିଜେପି ବିଭିନ୍ନ ଜାତିରେ ବାଣ୍ଟି ହୋଇଥିବା ହିନ୍ଦୁଙ୍କୁ ଏକଜୁଟ୍ କରି ବିଜୟ ରଣନୀତି ପ୍ରସ୍ତୁତ କରୁଛି । ଆରଏସଏସ ମଧ୍ୟ ସମାନ ରଣନୀତି ନେଇ ଗ୍ରାଉଣ୍ଡରେ ସକ୍ରିୟ ରହିଛି । ଧୀରେନ୍ଦ୍ର ଶାସ୍ତ୍ରୀ ଓ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବିହାର ଗସ୍ତ ପଛରେ ବି ସମାନ ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି । ଆଜି ପର୍ଯ୍ୟନ୍ତ ବିହାରରେ ବିଜେପି କେବେବି ଏକାକୀ ସରକାର ଗଢିପାରିନି । ଜେଡିୟୁ ସହ ହାତ ମିଳାଇ କ୍ଷମତାକୁ ଆସିଛି । ହେଲେ ଏବେ ରାଜ୍ୟରେ ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଛି ବିଜେପି । ଆଉ ଏହି କ୍ରମରେ ଧୀରେନ୍ଦ୍ର ଶାସ୍ତ୍ରୀ ଓ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଗସ୍ତକୁ ବିଜେପି ବ୍ଲୁପ୍ରିଣ୍ଟର ଅଂଶ ଭାବେ ଦେଖାଯାଉଛି ।
Comments are closed.