Latest Odisha News

ପୁଣି ଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ: ଗୁଳି କରି ନିର୍ମମ ଭାବେ ହତ୍ୟା

ଲକ୍ଷ୍ନୌ: ପୁଣି ଅତି ନିର୍ମମ ଭାବେ ଆଉ ଜଣେ ସାମ୍ବାଦିକଙ୍କୁ ରାଜରାସ୍ତାରେ ହତ୍ୟା । ଶନିବାର ଦିନ ଉତ୍ତର ପ୍ରଦେଶର ସୀତାପୁରରେ, ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଛି କୌଣସି ସୂଚନା ନଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ । ଏଥିପାଇଁ ନିଜ ଆଡୁ ତଦନ୍ତ ଚଳାଇଛି ପୋଲିସ୍ ।

ମୃତ ସାମ୍ବାଦିକ ଜଣଙ୍କ ହେଉଛନ୍ତି, ରାଘବେନ୍ଦ୍ର ବାଜପେୟୀ । ସେ ଉତ୍ତର ପ୍ରଦେଶର ଏକ ହିନ୍ଦୀ ଦୈନିକ ଖବରକାଗଜର ସ୍ଥାନୀୟ ପ୍ରତିନିଧି ରହିବା ସହ ସୂଚନା ଅଧିକାର କର୍ମୀଭାବେ ମଧ୍ୟ କାର୍ଯ୍ୟକରନ୍ତି । ଗତକାଲି ଲକ୍ଷ୍ନୌ- ଦିଲ୍ଲୀ ରାଜରାସ୍ତାରେ ପ୍ରଥମେ ଆକ୍ରମଣକାରୀମାନେ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ ଏବଂ ପରେ ତାଙ୍କୁ ତିନିଥର ଗୁଳି କରିଥିଲେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ,  ୩୫ ବର୍ଷୀୟ ରାଘବେନ୍ଦ୍ର ଶନିବାର ଅପରାହ୍ନରେ ଏକ ଫୋନ୍ କଲ୍ ପାଇବା ପରେ ତାଙ୍କ ଘରୁ ବାହାରି ଆସିଥିଲେ । ଏହାର ଠିକ୍ କିଛି ସମୟ ପରେ ତାଙ୍କୁ ହତ୍ୟା କରାଯାଇଛି । ପୋଲିସ ଏପର୍ଯ୍ୟନ୍ତ ହତ୍ୟା ପଛର କାରଣ ପାଇନାହିଁ ।  ଏପର୍ଯ୍ୟନ୍ତ କୌଣସି ଏଫଆଇଆର ଦାଖଲ କରାଯାଇ ନାହିଁ ବୋଲି ପୋଲିସ୍ କହିଛି । ତେଣୁ ନିଜ ଆଡୁ ମାମଲା ପଞ୍ଜିକରଣ କରିବା ପୂର୍ବରୁ ପୀଡିତଙ୍କ ପରିବାରଠାରୁ ଆନୁଷ୍ଠାନିକ ଅଭିଯୋଗ ଅପେକ୍ଷାରେ ରହିଛି ପୋଲିସ୍ ।

ପୋଲିସ୍ କହିବାନୁଯାୟୀ, ଏହି ଘଟଣାକୁ ପ୍ରଥମେ ଦୁର୍ଘଟଣା ଭାବେ ନିଆଯାଇଥିଲା । ହେଲେ ମେଡିକାଲରେ ତାଙ୍କ ଶରୀରରୁ ୩ଟି ଗୁଳି ମିଳିବା ପରେ ଏହାକୁ ହତ୍ୟା ମାମଲା ଭାବେ ନେଇ କାର୍ଯ୍ୟକରୁଛି ପୋଲିସ୍ । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚାରୋଟି ଦଳ ଗଠନ କରାଯାଇଛି । ଅଭିଯୁକ୍ତମାନଙ୍କୁ ତଦନ୍ତ ଏବଂ ଚିହ୍ନଟ କରିବା ପାଇଁ ମହୋଲି, ଇମାଲିଆ ଏବଂ କୋତୱାଲିର ପୋଲିସ ଦଳ, ନିରୀକ୍ଷଣ ଏବଂ ଏସଓଜି ଦଳ ନିୟୋଜିତ କରାଯାଇଛି ।

Comments are closed.