ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଐତିହାସିକ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲଢେଇ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟି ଆରମ୍ଭ କରିଦେଇଛି ନ୍ୟୁଜିଲାଣ୍ଡ । ସେହିପରି ଟସ୍ ହାରି ଏବେ ବୋଲିଂ କରୁଛି ଭାରତ । ଏଥର କାହା ହାତକୁ ଯିବ ଟାଇଟଲ ତାକୁ ନେଇ ପୂରା ଭାରତ ଉତ୍ସାହିତ ।
ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଦେଇଥିବା ଦଳ ସହ, ଆଜି ମଧ୍ୟ ଏକାଦଶରେ କୌଣସି ପରିବର୍ତ୍ତନ ନକରି, ସମାନ ଟିମ୍ ସହ ମଇଦାନକୁ ଓହ୍ଲାଇଛି ଭାରତ । କିନ୍ତୁ ଟିମ୍ ନ୍ୟୁଜିଲାଣ୍ଡ ମ୍ୟାଟ୍ ହେନାରୀଙ୍କ ସ୍ଥାନରେ ନାଥନ୍ ସ୍ମିଥଙ୍କୁ ସାମିଲ କରିଛି ।
ଏଥିସହିତ ଭାରତ ଲଗାତାର ଦିନିକିଆ ମ୍ୟାଚରେ ୧୫ତମ ଥର ପାଇଁ ଟସ୍ ହାରିଛି । ସେଡିପରି କ୍ୟାପଟେନ୍ ଭାବେରେ ମଧ୍ୟ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଦ୍ବାଦଶ ଥର ପାଇଁ ପୁଣି ଥରେ ଟସ୍ ହାରିଛନ୍ତି ରୋହିତ୍ । ଅଧିନାୟକ ଭାବେ ଓ୍ବାନଡେ ଇଣ୍ଟରନେସନାଲରେ ଲଗାତାର ୧୨ଥର ଟସ୍ ହାରିଛନ୍ତି ରୋହିତ୍ । ପୂର୍ବରୁ ତ୍ରିନିଦାଦୀୟ କ୍ରିକେଟର ବ୍ରାଏନ ଲାରା ଦିନିକିଆରେ ଲଗାତାର ୧୨ ଥର ଟସ୍ ହାରିଥିଲେ ।
ସେପଟେ ୩୫ ବର୍ଷ ପରେ ଭାରତକୁ ମିଳିଛି ପ୍ରତିଶୋଧର ସୁଯୋଗ । ୧୯୮୮ ପରଠାରୁ ଆନ୍ତର୍ଜାତୀୟ କ୍ରିକେଟର କୌଣସି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ହରାଇ ପାରି ନାହିଁ । ୧୯୮୮ରେ ଭାରତ ଶେଷ ଥର ନ୍ୟୁଜିଲାଣ୍ଡକୁ ଶାରଜା କପ ଫାଇନାଲରେ ପରାସ୍ତ କରିଥିଲା । ଏହା ପରେ କ୍ରମାଗତ ୩ଟି ଫାଇନାଲରେ ଭାରତ ପରାଜିତ ହୋଇଛି । ୨୦୦୦ ଚାମ୍ପିୟନ୍ସ ଟ୍ରଫି, ୨୦୦୬ ଭିଡିଓକନ ତ୍ରିରାଷ୍ଟ୍ରୀୟ ସିରିଜ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପରାଜିତ ହୋଇଛି । ଯାହାର ବଦଲା ନେବା ପାଇଁ ଆଜି ବଡ ସୁଯୋଗ ଥିବା ବେଳେ ଆଜି ପ୍ରତିଶୋଧ ପରାୟଣ ହୋଇ ମଇଦାନକୁ ଓହ୍ଲାଇଛି ଭାରତ । ମିନି ୱାର୍ଲ୍ଡ କପ୍ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ ।
ଆଉ ଦେଖିବାକୁ ଗଲେ, ଗତ କିଛି ଖେଳ ମଧ୍ୟରେ ଭାରତ ଟସ୍ ହାରିଥିଲେ ମଧ୍ୟ ମ୍ୟାଚ୍ ଜିତିଛି । ତେଣୁ ଏଥର ମଧ୍ୟ ସମାନ ଆଶା ରଖିଛନ୍ତି କ୍ରିକେଟ ଫ୍ୟାନ୍ସ । ଆଉ ଭାରତ ଯେବେ ଯେବେ ବୋଲିଂ କରିଛି, ସେବେ ସେବେ ଫଳାଫଳ ଭାରତ ସପକ୍ଷରେ ଯାଇଛି । କାରଣ ସ୍ପିନର ଟିମ୍ ଦେଖିବାକୁ ଗଲେ, ଭାରତର ପକ୍ଷ ଟିକେ ଦୃଢ ଅଛି । ତେଣୁ ଆଜି ମଧ୍ୟ ରୋହିତ ବାହିନୀଙ୍କ ଠାରୁ ସମାନ ଆଶା ରହିଛି ।
Comments are closed.