Latest Odisha News

BREAKING NEWS

ସାଇକେଲ ଚୋରି ସନ୍ଦେହରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଖୋର୍ଦ୍ଧା: ସାଇକେଲ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଣ୍ଡିଲୋ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ହୋଇଛି। ପୁଅକୁ ରକ୍ଷା କରିବାକୁ ଯାଇ ମା’ ସମେତ ଦୁଇ ଗୁରୁତର ଆହତ ହୋଇଛି। ମୃତ ଯୁବକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର ୱାର୍ଡ଼ର ସୌମ୍ୟରଞ୍ଜନ ଭୋଇ ଓରଫ ମିଲୁ।

ସୌମ୍ୟରଞ୍ଜନଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କର ମା’ ମୀନା ଭୋଇ ମଧ୍ୟ ଆହତ ହୋଇଛନ୍ତି। ଖଣ୍ଡା ଚୋଟ ମୀନାଙ୍କ ଅଣ୍ଟା ଓ ହାତରେ ବାଜିଛି। ସେହିପରି ଆକ୍ରମଣରେ ସୌମ୍ୟରଞ୍ଜନଙ୍କ ସହ ଥିବା ତାଙ୍କର ସାଙ୍ଗ ଶେଖ ଅଜିତ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣକାରୀ ଯୁବକ ହେଲେ ଗାଁର ତରୁଣ ଭୋଇ ଓରଫ ଟିମ।

ଏନେଇ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ତରୁଣକୁ କାବୁ କରି ବାଲିଅନ୍ତା ଥାନା ପୋଲିସକୁ ଜଣାଇଥିଲେ। ବାଲିଅନ୍ତା ଥାନା ପୋଲିସ ସୌମ୍ୟରଞ୍ଜନଙ୍କ ମୃତଦେହ ଜବତ କରି ଆହତ ମୀନା ଓ ଅଜିତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ତା ନିକଟରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି। ସାଇକେଲ ଚୋରି ସନ୍ଦେହରେ ଅଭିଯୁକ୍ତ ତରୁଣ ଭୋଇ ଏଭଳି ବର୍ବର କାଣ୍ଡ ଘଟାଇଛି।

Comments are closed.