Latest Odisha News

BREAKING NEWS

ତାତିରୁ ମିଳିବ ଆଶ୍ବସ୍ତି: ଆସୁଛି ବଡ କାଳବୈଶାଖୀ, ଏହିସବୁ ଜିଲ୍ଲାକୁ ସତର୍କ ଜାରି…

ଭୁବନେଶ୍ବର: ରାଜ୍ୟରେ ଏବେ ତାଣ୍ଡବ ରଚୁଛି ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ହେଲେ ଏବେ ତାତିରୁ ଟିକିଏ ଆଶ୍ବସ୍ତି ଦେବ ବର୍ଷା । ରାଜ୍ୟରେ ଆଗାମି ଦିନମାନଙ୍କରେ କାଳବୈଶାଖୀ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୧୯ରୁ ୨୨ତାରିଖ ପର୍ଯ୍ୟନ୍ତ୍ ରାଜ୍ୟରେ ଏହାର ପ୍ରଭାବ ରହିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ , ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୯ ରୁ ୨୨ ପର୍ଯ୍ୟନ୍ତ ବର୍ଷା ସହ ଘଡଘଡି ସମ୍ଭାବନା ରହିଛି । ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ , ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ଏବଂ ଝଟକା ପବନ ୭୦ କିମି ଯାଏଁ ପୂର୍ବାନୁମାନ କରାଯାଇଥିବା ବେଳେ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ ।

ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତକାଲି ୪-୫ଟି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଥିଲା। ସେହିପରି ୭ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ସେପଟେ ରାଜ୍ୟରେ ଏବେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଅଗ୍ନିବର୍ଷାରେ ଛଟପଟ ହେଉଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର। ଗତକାଲି ବୌଦ୍ଧର ତାପମାତ୍ରା ଥିଲା ୪୩.୬ ଡିଗ୍ରୀ ସେଲସିଅସ୍ ଛୁଇଁଥିଲା । ସେହିପରି ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଥିଲା ଦେଶର ଦ୍ବିତୀୟ ଉତ୍ତପ୍ତ ସହର ।

Comments are closed.