Latest Odisha News

BREAKING NEWS

ପଟେ ପାଇଁ ନାଟ: ୨୦୦ ଟଙ୍କାରେ ନାତିକୁ ବିକିଦେଲେ ଜେଜେ ମା’

ବାରିପଦା: ଦାଉ ସଧିଲା ଭୋକ । ପେଟ ପାଇଁ ନାତିକୁ ବିକିଦେଲା ଜେଜେ ମା’ । ନିଜେ ତ ଖାଇବାକୁ ପାଉନି । ପେଟ ପାଇଁ ବାର ଦୁଆର ବୁଲୁଛି । କଅଁଳା ପିଲାଟିକୁ କଣ ବା ଖାଇବାକୁ ଦେଇଥାନ୍ତା । ସେଥିପାଇଁ ଛାତିରେ ପଥର ରଖି ମାତ୍ର କେଇଟା ଟଙ୍କାରେ ଏଭଳି କାଣ୍ଡ ଘଟାଇଛି ଜେଜେ ମା’ । ସେ ବି କୋଉ ଅଧିକ ଟଙ୍କାରେ ନୁହେଁ ମାତ୍ର ୨୦୦ ଟଙ୍କାରେ ଛୁଆକୁ ବିକି ଏବେ ଚର୍ଚ୍ଚାରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଅନ୍ତର୍ଗତ ବଳଦିଆ ଗ୍ରାମର ମନ୍ଦ ହେମ୍ବ୍ରମ ।

ସୂଚନା ଅନୁସାରେ, ବଳଦିଆ ଗ୍ରାମର ମନ୍ଦ ହେମ୍ବ୍ରମଙ୍କ ସ୍ବାମୀ ଅନେକ ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ଶାଶୂ ଘରେ ରହିବା ପାଇଁ ସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ରାସଗୋବିନ୍ଦପୁର ବ୍ଲକ୍‌ ଛାତନା ପଞ୍ଚାୟତ ରାଇପାଳ ଗାଁରେ ସାନ ଭଉଣୀ ଓ ଭଉଣୀ ଜ୍ୱାଇଁଙ୍କ ଘରେ ରହୁଥିଲେ ମନ୍ଦ । ୨୦୦୮ ମସିହାରୁ ସେଠାରେ ରହୁଥିଲେ ସେ । କିନ୍ତୁ ନିଜେ ଖାଇବାକୁ ପାଉନଥିବା ମନ୍ଦ ପାଞ୍ଚବର୍ଷର ନାତିକୁ କେଉଁଠୁ ବା ଖାଇବାକୁ ମୁଠେ ଦେଇଥାନ୍ତେ । ନାଁ ରହିବାକୁ ଘର, ନାଁ ପିନ୍ଧିବାକୁ ଲୁଗା ଖଣ୍ଡେ ପାଉଥିଲେ ସେ । ଏପରିସ୍ଥିତିରେ ଜୀବନ ବିତାଇବା ସତେ ଯେପରି ତାଙ୍କ ପାଇଁ ଅଭିଷପ୍ତ ହୋଇଯାଇଥିଲା । ଭିକମାଗି ଯାହା ମିଳୁଥିଲା ସେଥିରେ ନିଜେ ନଖାଇ ନାତି ମୁହଁରେ ଦେଇ ଶେଷରେ ରାତି ହେଲେ ବସ୍‌ଷ୍ଟାଣ୍ଡରେ ଶୋଈ ପଡୁଥିଲେ।

କିନ୍ତୁ ପେଟରେ ଭୋକ ଜ୍ବଳା କେତେ ଦିନ ବା ସହିଥାନ୍ତେ ସେ । ଭୋକ ଜ୍ବଳା ଅସହ୍ୟ ହେବାରୁ ଶେଷରେ ତାଙ୍କ ମୁଣ୍ଡରେ କିଛି ପଶିଲାନି । ଆଉ ସେପଟେ ନାତିର କଷ୍ଟ ମଧ୍ୟ ସେ ଦେଖି ସହିପାରିଲେନି । ତେଣୁ ଜଣେ ଲୋକ ନିଜର ପିଲା ନାହିଁ ବୋଲିବାରୁ ତାକୁ ୨୦୦ ଟଙ୍କାରେ ନାତିକୁ ବିକି ଦେଇଥିଲେ ମନ୍ଦ । ବିକିବା ବେଳେ ମନ୍ଦଙ୍କ ଆଖିରୁ ଲୁହ ଝରିଥିଲା ସତ କିନ୍ତୁ ପେଟ ପାଇଁ ସେ କରିଥିଲେ ଏମିତି ନାଟ । ମୋ ନାତିକୁ ନେଇ ଭଲରେ ରଖିବ ବୋଲି କହି ସେ ଗତକାଲି ୨୦୦ ଟଙ୍କାରେ ନାତିକୁ ବିକିଦେଇଥିଲେ । ନାତିର ଭଲମନ୍ଦ ବୁଝିବା ପାଇଁ ଏକ କାଗଜରେ ଫୋନ୍‌ ନମ୍ବର ଲେଖିଦେଇ ସେ ଲୋକ ଯାଇଛନ୍ତି ବୋଲି ସମସ୍ତଙ୍କୁ କାନ୍ଦିକାନ୍ଦି କହିଥିଲେ ମନ୍ଦ ହେମ୍ବ୍ରମ୍‌ ।

 

Comments are closed.