Latest Odisha News

BREAKING NEWS

ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯ ବୁଧବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ।

ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ଗୃହୀତ ହୋଇସାରିଛି । ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ଶିବସେନା ରାଜ୍ୟସଭାରେ ମତ ବଦଳାଇଥିଲା ।

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ଆଫଗାନିସ୍ଥାନ, ପାକିସ୍ତାନ ଏବଂ ବାଂଲାଦେଶର କୌଣସି ମୁସଲମାନ ଯଦି ଆଇନ ଅନୁସାରେ ନାଗରିକତା ଆବେଦନ କରନ୍ତି ତାହେଲେ ତାହା ବିଚାର କରାଯିବ। କିନ୍ତୁ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ନଥିଲେ ସଂପୃକ୍ତ ବ୍ୟକ୍ତି ଏହି ବିଲ୍ ସଂଶୋଧନର ଲାଭ ପାଇପାରିବେ ନାହିଁ।

ଏହି ବିଲ୍ ମାଧ୍ୟମରେ ଉପରୋକ୍ତ ୩ଟି ଦେଶର ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବ୍ୟକ୍ତି, ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ପଳାଇ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ।

ଏହା ପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଯିବାକୁ ବିରୋଧୀ ଦଳ କରିଥିବା ଦାବି ମଧ୍ୟ ରାଜ୍ୟସଭାରେ କାଟ ଖାଇଥିଲା । ଏହି ପ୍ରସ୍ତାବ ବିପକ୍ଷରେ ୧୨୪ଟି ଭୋଟ ଓ ସପକ୍ଷରେ ୯୯ଟି ଭୋଟ ପଡ଼ିଥିଲା ।

ପୁର୍ବାଞ୍ଚଳ ରାଜ୍ୟ ଗୁଡିକରେ ଏହି ବିଲକୁ ତୀବ୍ର ନିନ୍ଦା କାରାଯାଉଥିବା ବେଳେ ଏହାର ପ୍ରତିବାଦରେ ଆସାମ ଓ ତ୍ରିପୁରାରେ ହିଂସାକାଣ୍ଡ ଦେଖାଦେଇଛି । ଅନ୍ୟପଟେ ଗୋହାଟିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲଗାଯାଇଛି । ଏହା ସହିତ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ତ୍ରିପୁରାରେ ମଧ୍ୟ ୨୪ ଘଣ୍ଟା ପାଇଁ ଇଣ୍ଟରନେଟକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.