ନୂଆଦିଲ୍ଲୀ: ଚଳିତ ଆଇପିଏଲ ଅବସରରେ ଗୁଜରାଟ ଟାଇଟାନ୍ସକୁ ଶକ୍ତ ଧକ୍କା ଲାଗିଛି । ସଳର ଷ୍ଟାର ପେସ ବୋଲର କାଗିସୋ ରାବାଡା ଟୁର୍ଣ୍ଣାମେଂଟ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦକ୍ଷିଣ ଆଫ୍ରିକା ଫେରି ଯାଇଛନ୍ତି । ସେ କେବେ ପ୍ରତ୍ୟାବର୍ତନ କରିବେ ସେ ନେଇ ଫ୍ରାଂଚାଇଜ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ରାବାଡା ଗୁଜରାଟ ପକ୍ଷରୁ ଚଳିତ ଆଇପିଏଲର ପ୍ରଥମ ୨ଟି ମ୍ୟାଚ ଖେଳିଛନ୍ତି । ସେ ପଞ୍ଜାବ କିଙ୍ଗସ ବିପକ୍ଷରେ ୪୧ ରନରେ ଏବଂ ମୁମ୍ବାଇ ବିରୋଧରେ ୪୨ ରନରେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ଏହି ମ୍ୟାଚରେ ତାଙ୍କ ସ୍ଥାନରେ ଅରଶାଦ ଖାଁ ଖେଳିବା ସହ ବିରାଟ କୋହଲିଙ୍କ ୱିକେଟ ଅକ୍ତିଆର କରିଥିଲେ । ଗୁଜରାଟ ଏହି ମ୍ୟାଚରେ ୩ଟି ବିଦେଶୀ ଖେଳାଳିଙ୍କ ସହିତ ଖେଳିଥିଲେ । ଗୁଜରାଟ ପ୍ରଥମ ମ୍ୟାଚରେ ପଞ୍ଜାବ ନିକଟରୁ ପରାଜିତ ହୋଇଥିଲା । ଏବେ ମୁମ୍ବାଇ ଓ ଆରସିବିକୁ ହରାଇ ପଂଏଟ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଅବଶ୍ୟ ଗୁଜରାଟ ଟିମରେ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଈଶାନ୍ତ ଶର୍ମାଙ୍କ ପରି ବୋଲର ରହିଛନ୍ତି । ଗୁଜରାଟ ତାର ପରବର୍ତୀ ମ୍ୟାଚ ଏପ୍ରିଲ ୬ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ ।
Comments are closed.