ନୂଆଦିଲ୍ଲ: ଉଭୟ ଗୃହରେ ପାରିତ ହୋଇଛି ବିବାଦୀୟ ଓ୍ବାକଫ୍ ବିଲ୍ । ଏବେ ଖାଲି ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା, ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହେବ ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୫ । ହେଲେ ଏବେ ବି ହାର୍ ମାନି ନାହାନ୍ତି ବିରୋଧୀ । ଖୁବଶୀଘ୍ର ଓ୍ବାକଫ୍ ବିଲ୍ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ ହେବ । ଏନେଇ କଂଗ୍ରେସ ଆଜି ଘୋଷଣା କରିଛି । ଖୁବଶୀଘ୍ର କଂଗ୍ରେସ ୱାକଫ (ସଂଶୋଧନ) ବିଲ୍, ୨୦୨୫ ର ସାମ୍ବିଧାନିକତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ।
ତେବେ ବୁଧବାର ଲୋକସଭାରେ ୧୪ ଘଣ୍ଟା ଆଲୋଚନା ଏବଂ ଗୁରୁବାର ରାଜ୍ୟସଭାରେ ପ୍ରାୟ ୧୭ ଘଣ୍ଟାର ଦୀର୍ଘ ଆଲୋଚନା ପରେ ସଂସଦର ଉଭୟ ଗୃହରେ ପାରିତ ହୋଇଛି ୱାକଫ (ସଂଶୋଧନ) ବିଲ୍, ୨୦୨୫ । ଏନେଇ ନିଜ ଏକ୍ସରେ ପୋଷ୍ଟ କରି ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, କଂଗ୍ରେସ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟରେ ୱାକଫ (ସଂଶୋଧନ) ବିଲ୍, ୨୦୨୪ ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିବ । ଭାରତୀୟ ସମ୍ବିଧାନରେ ଥିବା ନୀତି, ବ୍ୟବସ୍ଥା ଏବଂ ଅଭ୍ୟାସ ଉପରେ ମୋଦି ସରକାରଙ୍କ ସମସ୍ତ ଆକ୍ରମଣକୁ ଆମେ ପ୍ରତିରୋଧ କରିବୁ ବୋଲି କହିଛନ୍ତି ରମେଶ ।
ଏଥିସହିତ ସେ ଏହା ବି ଜଣାଇ ଦେଇଛନ୍ତି ଯେ, ସିଏଏ, ୨୦୧୯ ପ୍ରତି କଂଗ୍ରେସ ପକ୍ଷରୁ କରାଯାଇଥିବା ଚ୍ୟାଲେଞ୍ଜ ସୁପ୍ରିମକୋର୍ଟରେ ଶୁଣାଣି ହେଉଛି । ଆରଟିଆଇ ଆଇନ, ୨୦୦୫ରେ ୨୦୧୯ ସଂଶୋଧନ ପ୍ରତି କଂଗ୍ରେସ ପକ୍ଷରୁ କରାଯାଇଥିବା ଚ୍ୟାଲେଞ୍ଜ ସୁପ୍ରିମକୋର୍ଟରେ ଶୁଣାଣି ହେଉଛି । ନିର୍ବାଚନ ନିୟମ (୨୦୨୪)ରେ ସଂଶୋଧନର ବୈଧତା ନେଇ ମଧ୍ୟ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ସେନେଇ ବି ଶୁଣାଣି ଚାଲିଛି । ପୂଜାସ୍ଥଳ ଆଇନ, ୧୯୯୧ର ଅକ୍ଷର ଏବଂ ଆତ୍ମାକୁ ବଜାୟ ରଖିବା ପାଇଁ କଂଗ୍ରେସ ପକ୍ଷରୁ କରାଯାଇଥିବା ହସ୍ତକ୍ଷେପ ଉପରେ ବି ବିଚାର କରୁଛନ୍ତି ସୁପ୍ରିମକୋର୍ଟ । ତେଣୁ ଏହା ଉପରେ ମଧ୍ୟ କଂଗ୍ରେସ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ।
ତେବେ କହିରଖୁଛୁ, ରାଜ୍ୟସଭାରେ ୱାକଫ ବିଲ୍ ନେଇ ଚାଲିଥିବା ଆଲୋଚନାରେ ବିରୋଧୀ ଦଳଗୁଡ଼ିକର କଠୋର ଆପତ୍ତି ଦେଖିଇଥିଲେ । ସେମାନେ ବିଲକୁ ମୁସଲିମ ବିରୋଧୀ ଏବଂ ଅସାମ୍ବିଧାନିକ ବୋଲି ଅଭିଯୋଗ କରିଥିଲେ । ହେଲେ ସରୀକାର ଏହାକୁ ଐତିହାସିକ ସଂସ୍କାର କହି, ଏନେଇ ଯୁକ୍ତି ବାଢି, ଉଭୟ ଗୃହରେ ଏହାକୁ ବହୁମତରେ ମଞ୍ଜୁରୀ ପ୍ରଦାନ କରାଇଛନ୍ତି । ରାଜ୍ୟସଭାରେ ଏହି ବିଲ୍ ସମର୍ଥନରେ ୧୨୮ ଜଣ ସଦସ୍ୟ ରହିଥିବା ବେଳେ ୯୫ ଜଣ ବିରୋଧ କରିଥିଲେ । ସେହିପରି ଲୋକସଭାରେ ଏହା ପାସ୍ ହୋଇଥିବା ବେଳେ ଏହାର ସପକ୍ଷରେ ୨୮୮ ଜଣ ରହିଥିବା ବେଳେ ୨୩୨ ଜଣ ଏହାର ବିପକ୍ଷରେ ଥିଲେ ।
Comments are closed.