ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଓପନର ତଥା ମୁମ୍ବାଇ ଟିମର ଷ୍ଟାର ଖେଳାଳି ଯଶସ୍ୱୀ ଜୈସୱାଲଙ୍କ ଗୋଆ ପକ୍ଷରୁ ଖେଳିବା ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ତେବେ କଣ ପାଇଁ ଯଶସ୍ୱୀ ମୁମ୍ବାଇ ଛାଡିବା ପାଇଁ ନିଷ୍ପତି ନେଲେ ତାର କାରଣ ସମ୍ମୁଖକୁ ଆସିଛି । ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁସାରେ ୨ ବର୍ଷ ତଳୁ ଜୈସୱାଲ ମୁମ୍ବାଇ ଟିମର ରଣନୀତି, ଖେଳାଳି ଚୟନ ଓ ପରିବର୍ତନ ନେଇ ଅସନ୍ତୁଷ୍ଟ ଥିଲେ । ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ସହ ତାଙ୍କ ସମ୍ପର୍କ ଭଲ ନ ଥିଲା । ୨୦୨୨ ଦୁଲୀପ ଟ୍ରଫି ଫାଇନାଲ ଅବସରରେ ପଶ୍ଚିମାଂଚଳର ଅଧିନାୟକ ଅଜିଙ୍କ୍ୟ ରାହାଣେ ବିଶୃଙ୍ଖଳିତ ଆଚରଣ ଯୋଗୁ ଯଶସ୍ୱୀଙ୍କୁ ପଡିଆ ବାହାରକୁ ପଠାଇ ଦେଇଥିଲେ । ଯଶସ୍ୱୀ ଦକ୍ଷିଣାଂଚଳର ବ୍ୟାଟ୍ସମ୍ୟାନ ରବି ତେଜାଙ୍କୁ ସ୍ଲେଜିଂ କରୁଥିଲେ । ଯଶସ୍ୱୀ ତାଙ୍କ ସୀମା ଅତିକ୍ରମ କରୁଥିଲେ ବୋଲି ରାହାଣେ ଭାବିଥିଲେ ।
ସୟେଦ ମୁସ୍ତାକ ଅଲୀ ଟ୍ରଫି ଅବସରରେ ଯଶସ୍ୱୀଙ୍କ ଶଟ ଚୟନ ନେଇ ରାହାଣେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ ଟିମ ମ୍ୟାନେଜମେଂଟ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରୁଛି ବୋଲି ଯଶସ୍ୱୀ ଭାବିଥିଲେ । ଗତ ରଣଜୀ ସିଜନରେ ଜମ୍ମୁ ଏବଂ କଶ୍ମୀର ନିକଟରୁ ମୁମ୍ବାଇ ହାରିବା ଏହି ବିବାଦକୁ ବଢ଼େଇ ଦେଇଥିଲା । ଯଶସ୍ୱୀ ଓ ରୋହିତ ଶର୍ମାଙ୍କ ଯୋଗୁ ଦଳ ହାରିଲା ବୋଲି ଟିମରେ ଆଲୋଚନା ହୋଇଥିଲା । ଜୈସୱାଲ ରାଗରେ ରାହାଣେଙ୍କ କିଟ ବ୍ୟାଗକୁ ଗୋଇଠା ମାରିଥିଲେ । ଏହା ପରେ ଯଶସ୍ୱୀ ମୁମ୍ବାଇ ଛାଡିବା ପାଇଁ ନିଷ୍ପତି ନେଇଥିଲେ । ଗୋଆ ଟିମ ତାଙ୍କୁ ଅଧିନାୟକ ପଦ ଦେବା ପାଇଁ ମଧ୍ୟ ରାଜି ଅଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।
Comments are closed.