Latest Odisha News

BREAKING NEWS

ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ଚାରୋଟି ମଲ୍ଟିଟ୍ରାକିଙ୍ଗ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ, ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଆସିଛି ଏବଂ କେନ୍ଦ୍ର ସରକାର ନିୟମିତ ଭାବରେ ଓଡିଶା ପ୍ରତି ଯେଉଁଭଳି ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପ ଗୁଡିକ ମଞ୍ଜୁର କରୁଛନ୍ତି, ଏହା ତା’ର ପ୍ରମାଣ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ନିଶ୍ଚିତ ଭାବେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ଭାବେ ବିକଶିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ତେବେ ଓଡିଶାର ଯେଉଁ ଏହି ୨ଟି ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି ଦେଇଛି ସେହି ୨ଟି ହେଉଛି ସମ୍ବଲପୁର-ଜରପଡା(ତାଳଚେର, ଅନୁଗୋଳ) ତୃତୀୟ ଓ ଚତୁର୍ଥ ଲାଇନ୍ ଏବଂ ଝାରସୁଗୁଡା-ସାସନ (ସମ୍ବଲପୁର) ତୃତୀୟ ଓ ଚତୁର୍ଥ ଲାଇନ୍ । ସମ୍ବଲପୁର-ଜରପଡା ପ୍ରକଳ୍ପ ପାଇଁ ୩,୯୧୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ଝାରସୁଗୁଡା-ସାସନ ପ୍ରକଳ୍ପ ପାଇଁ ୧,୧୮୭ କୋଟି ଟଙ୍କା ବିନିଯୋଗ ହେବ । ଉଭୟ ପ୍ରକଳ୍ପ ପାଇଁ ମୋଟ୍ ୫,୧୦୪ କୋଟି ଟଙ୍କା ବିନିଯୋଗ ହେବ ।

ଏହି ମଲ୍ଟିଟ୍ରାକ୍ ପ୍ରକଳ୍ପ ଗୁଡିକ ଦ୍ୱାରା ସମ୍ବଲପୁର, ଅନୁଗୋଳ ଓ ଝାରସୁଗୁଡା ଜିଲ୍ଲା ଗୁଡିକରେ ରେଳ ପରିବହନ କ୍ଷେତ୍ରରେ ବ୍ୟାପକ ଗତିଶୀଳତା ଆସିବ । ଏହି ପ୍ରକଳ୍ପ ଗୁଡିକ ରେଳ ପରିଚାଳନାକୁ ସହଜ କରିବା ସହିତ ଭିଡ ହ୍ରାସ କରିବ । ପ୍ରଧାନମନ୍ତ୍ରୀଙ୍କ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ମଲ୍ଟି ମୋଡାଲ୍ ସଂଯୋଗ ପାଇଁ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯିବ ।

Comments are closed.