ନୂଆଦିଲ୍ଲୀ: ବାଂଲାଦେଶର ଶିକ୍ଷା ମନ୍ତ୍ରଣାଳୟରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦୁଇ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କୁ କଲେଜ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି ଶିକ୍ଷା ମନ୍ତ୍ରଣାଳୟ । ବାଂଲାଦେଶ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ବିଭାଗ ସମ୍ପ୍ରତି BCS ସାଧାରଣ ଶିକ୍ଷା କ୍ୟାଡର ଅଧୀନରେ ୧୩୫ ଜଣ ପ୍ରଫେସରଙ୍କ ନୂତନ ପଦବୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମହମ୍ମଦ ଜମାଲ ଉଦ୍ଦିନଙ୍କ ନାମ ମଧ୍ୟ ରହିଛି । ମହମ୍ମଦ ଜମାଲ ଉଦ୍ଦିନ ପୂର୍ବରୁ କୁରିଗ୍ରାମ ଜିଲ୍ଲାର ମୀର ଇସମାଇଲ ହୁସେନ କଲେଜର ଅଧ୍ୟକ୍ଷ ଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜମାଲୁଦ୍ଦିନଙ୍କ ମୃତ୍ୟୁ ୧୨ ଏପ୍ରିଲ ୨୦୨୩ରେ ହୋଇସାରିଛି । ସେହି ସମୟରେ ସେ କୁରିଗ୍ରାମ ସରକାରୀ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଥିଲେ।
ମୃତ ଜମାଲୁଦ୍ଦିନଙ୍କ ପତ୍ନୀ ତହମିନା ଶବନମ୍ ଏବଂ ସମଗ୍ର ପରିବାର ଏହି ଖବର ବିଷୟରେ ଜାଣି ଦୁଃଖିତ। ଆଜିଠୁ ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୧୫ ମାର୍ଚ୍ଚ, ୨୦୨୩ରେ ମୃତ ଜମାଲୁଦ୍ଦିନଙ୍କ ଝିଅ ଫାରୁଜ ସାଦଫ୍ ଅବୋନ୍ତିକା ଆତ୍ମହତ୍ୟା କରିଥିଲେ। ଅବୋନ୍ତିକା ଜଗନ୍ନାଥ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ରୀ ଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ, ସେ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ସହପାଠୀ ଅମ୍ମାନ ସିଦ୍ଦିକି ଏବଂ ଆସିଷ୍ଟାଣ୍ଟ ପ୍ରୋକ୍ଟର ଦୀନ ଇସଲାମଙ୍କ ଉପରେ ଲଗାତାର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ।
ଏହା ପରେ, ଉଭୟଙ୍କୁ ଗିରଫ କରାଯାଇଥିଲା, ବର୍ତ୍ତମାନ ସେମାନେ ଜାମିନରେ ଅଛନ୍ତି। ତହମିନା ଶବନମ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ମୋ ଝିଅକୁ ନ୍ୟାୟ ମିଳିନାହିଁ। ଏବେ ମୋ ମୃତ ସ୍ୱାମୀଙ୍କୁ ଏହିପରି ନିଯୁକ୍ତି କରି ଆମର ଯନ୍ତ୍ରଣାକୁ ବଢାଇଦିଆଯାଇଛି । ଏହା କେବଳ ପ୍ରଶାସନିକ ଅବହେଳା ନୁହେଁ, ବରଂ ମାନବିକ ସମ୍ବେଦନହୀନତାର ସବୁଠାରୁ ବଡ଼ ଉଦାହରଣ।
ଏହି ଆଶ୍ଚର୍ଯ୍ୟଜନକ ଭୁଲ ଉପରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଆସିନାହିଁ, କିନ୍ତୁ ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ଷେତ୍ରରେ ସିଷ୍ଟମର ତ୍ରୁଟି, ତଥ୍ୟ ପରିଚାଳନାର ଅଭାବ ଏବଂ ଦାୟିତ୍ୱବୋଧ ବିଷୟରେ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି। କହିରଖୁଛୁ ଯେ, ଏଭଳି ଭୁଲ ତଥ୍ୟ ପାଇଁ ବାଂଲାଦେଶର ଅମଲାତନ୍ତ୍ର ପୂର୍ବରୁ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଛି।
Comments are closed.