ଲକ୍ଷ୍ନୌ: ନୂତନ ଅଫର, ଚିଟ୍ ଫଣ୍ଡ ଏବଂ ଘରୁ କାମ କରିବା ନାମରେ ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗ ପ୍ରତିଦିନ ଧରାପଡ଼ୁଛନ୍ତି। କିନ୍ତୁ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅନନ୍ୟ ଠକ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ ଅନ୍ୟ କାହାକୁ ନୁହେଁ ବରଂ ଏକ ଜଣାଶୁଣା କ୍ୟାବ୍ କମ୍ପାନୀକୁ ଠକୁଥିଲେ। ଗ୍ରେଟର ନୋଏଡାର ଇକୋଟେକ୍ ୧ ଥାନାର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଏକ ବଡ଼ ସଫଳତା ହାସଲ କରିଛି।
ମଙ୍ଗଳବାର ରାତିରେ ଘରବରା ଅଣ୍ଡରପାସ୍ ନିକଟରେ ଚେକିଂ କରିବା ବେଳେ ୨ ଠକଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହମ୍ମଦ ଉମେର ଏବଂ ମୁଜାଫର ଜମାଲ। ପୋଲିସ ସେମାନଙ୍କୁ ପଚରାଉଚରା କରିବା ବେଳେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏମାନେ ନକଲି ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ତିଆରି କରି ରୀତିମତ ଭାବେ ଉବର କମ୍ପାନୀ ସହ ଠକେଇ କରୁଥିଲେ। ଅନଲାଇନ୍ରେ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଏଡିଟ୍ କରୁଥିଲେ। ଗୁଗୁଲ ଲେନ୍ସ ସହାୟତାରେ ଫଟୋକୁ ବଦଳାଇ ଦେଉଥିଲେ।
ସେମାନେ ଗୋଟିଏ ଆଧାର କାର୍ଡକୁ ପରିବର୍ତ୍ତନ କରି ୧୦ରୁ ଅଧିକ ଆଇଡି ତିଆରି କରୁଥିଲେ। ଏହାକୁ ବ୍ୟବହାର କରି ଉବର କମ୍ପାନୀରେ ଆଇଡି ଖୋଲୁଥିଲେ। ପ୍ରଥମେ ପ୍ରଥମେ କମ୍ପାନୀକୁ ବିଶ୍ଵାସ ଦେବାକୁ ଛୋଟ ଛୋଟ ରାଇଡ୍ ବୁକ୍ କରୁଥିଲେ। କିଛି ଦିନ ପରେ ଦୂର ବାଟ ପାଇଁ ରାଇଡ୍ ବୁକ୍ କରି କମ୍ପାନୀ ଠାରୁ ଆଡଭାନ୍ସ ଟଙ୍କା ନେଉଥିଲେ। ନିଜେ ଡ୍ରାଇଭର୍ ଏବଂ ନିଜେ ଯାତ୍ରୀ ହୋଇ ଏଭଳି ଠକେଇ କରୁଥିଲେ। ଧରାପଡ଼ିବା ପରେ ଆଇଡିକୁ ବ୍ଲକ କରି ଦେଉଥିଲେ। ଏହି ଭଳି ଭାବେ ସେମାନେ କମ୍ପାନୀ ଠାରୁ ଦିନକୁ ୪୦ ରୁ ୫୦ ହଜାର ଟଙ୍କାର ଠକେଇ କରୁଥିଲେ।
ଏହି ୨ ଠକ ଏବେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କ ନିକଟରୁ ୨୧ଟି ମୋବାଇଲ୍, ୫୦୦ ରୁ ଉର୍ଦ୍ଧ୍ଵ ନକଲି ଆଧାର କାର୍ଡ, ଏକ ପ୍ରିଣ୍ଟର, ଏକ କାର୍ ସମେତ ଠକେଇରେ ବ୍ୟବହୃତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଏହି ରାକେଟ୍ରେ ଆହୁରି ବହୁ ଲୋକ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।
Comments are closed.