Latest Odisha News

BREAKING NEWS

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ବିଜେଡିର ଦୃଢ଼ ନିନ୍ଦା

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ବିଜେଡି।

ସୂଚନାନୁଯାୟୀ, ଆରୁଅ ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ତଥା ଖଣି ମାଫିଆଙ୍କର ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶଙ୍ଖ ଭବନର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଭୃଗୁ ବକ୍ସିପାତ୍ର ଅଭିଯୋଗ କରି କହିଛନ୍ତି ଯେ ସ୍ଥାନୀୟ ପୋଲିସ୍ ପ୍ରଶାସନ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିଲା। ଏପରିକି ପ୍ରଣବ ଘଟଣା ସମୟରେ ଯାଜପୁର ଏସ୍ପିଙ୍କୁ ଭିଡିଓ କଲ କରିଥିଲେ ମଧ୍ୟ ଏସ୍ପିଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା । ସେ ଅଘଟଣ ଆଶଙ୍କା ନେଇ ଯାଜପୁର ଏସ୍ପିଙ୍କୁ ମଧ୍ୟ ଜଣାଇଥିଲେ ।

ତେବେ ଆଜିର ଘଟଣାକୁ ମିଶାଇ ତାଙ୍କ ଉପରେ ବିଧାୟକ ହିମାଂଶୁ ସାହୁଙ୍କ ଦ୍ୱାରା ପଞ୍ଚମଥର ମରଣାତ୍ମକ ଆକ୍ରମଣ ହୋଇଛି । ପୂର୍ବରୁ ବଳବନ୍ତରାୟଙ୍କ ଗାଡ଼ି, ତାଙ୍କ ଘର ଏବଂ ଦଳୀୟ କାର୍ଯ୍ୟାଳୟ ଉପରେ ମଧ୍ୟ ବହୁବାର ଆକ୍ରମଣ ହେବା ପରେ ସେ ବାରମ୍ବାର ପୋଲିସ୍ ପାଖରେ ଏଫଆଇଆର ରୁଜୁ କରିଥିଲେ। ତଥାପି ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜିର ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟ ସରକାର ଏବଂ ପୋଲିସ୍ ପ୍ରଶାସନର ଏକପାଖିଆ କାର୍ଯ୍ୟକଳାପ ତଥା ଜନପ୍ରତିନିଧି ମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଆକ୍ରମଣ ବିଷୟରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସରକାର ତୁରନ୍ତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ।

ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ୍ ମହାନିଦେ୍ର୍ଦଶକ ସଞ୍ଜୟ କୁମାରଙ୍କ ସହିତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ୪୮ ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ, ତେବେ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।

 

Comments are closed.