Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୦: ସ୍ୱୟଂ ଭଗବାନ ଯେଉଁ ଜ୍ଞାନଅମୃତ ଦାନ କରିଛନ୍ତି ତାର ନାମ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରୂପକ ଅମୃତ ତଥା ମଣିକୁ ଏ ସାରା ସଂସାର କିପରି ପ୍ରାପ୍ତ ହେଲା ତାହା ପ୍ରଯ୍ୟାଲୋଚନା କଲେ ଜଣାଯାଏ ସ୍ୱୟଂ ନାରାୟଣ ଏହାକୁ ସୃଷ୍ଟି ଆରମ୍ଭରେ ବ୍ରହ୍ମାଙ୍କୁ ଶୁଣାଇ ଥିଲେ। ବ୍ରହ୍ମା ଏହାକୁ ନିଜ ପୁତ୍ର ନାରଦଙ୍କୁ ଶୁଣାଇଲେ। ଏଠାରେ ବ୍ରହ୍ମା ନାରଦଙ୍କୁ ଜ୍ଞାନଦାତା ହିସାବରେ ବିବେଚନା କରି ଏହାର ପ୍ରସାର ଓ ପ୍ରଚାର କରିବାକୁ କହିଲେ। ଯଥା -“ଇଦଂ ଭାଗବତଂ ନାମ ଯନମେ ଭଗବତୋଦିତମ, ସଂଗ୍ରହୋ ଅୟଂ ବିଭୁତିନାଂ ତ୍ବମେତଦ ବିପୁଳିକୁରୁ”।

ସ୍ୱୟଂ ଭଗବାନ ମୋତେ ଯେଉଁ ଜ୍ଞାନଅମୃତ ଦାନ କରିଛନ୍ତି ତାର ନାମ ଶ୍ରୀମଦ ଭାଗବତ। ଏହି ସଂଗୃହିତ ଭଗବତ ବିଭୁତିକୁ ତୁମେ ବିସ୍ତାରିତ କର। ବ୍ରହ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନକୁ ନାରଦ ଜ୍ଞାନଦାତା ହିସାବରେ ଯଥା -“ନାରଂ ଜ୍ଞାନଂ ଦଦାତି ଇତି ନାରଦ” ନିଜର ଶିଷ୍ୟ ବ୍ୟାସଦେବଙ୍କୁ ପ୍ରଦାନ କଲେ, ବ୍ୟାସଦେବ ଏହାକୁ ବିସ୍ତାର କରି ନିଜ ପୁତ୍ର ତଥା ଶିଷ୍ୟ ଶ୍ରୀ ଶୁକଦେବଙ୍କୁ ପ୍ରଦାନ କଲେ। ଶେଷରେ ଶ୍ରୀ ଶୁକଦେବ ବ୍ୟାସଦେବ କୃତ ଭାଗବତ ଗ୍ରନ୍ଥଙ୍କୁ ଅଧିକ ରସଯୁକ୍ତ କରାଇ ବର୍ତ୍ତମାନ ଲୋକମୁଖରେ ପ୍ରସାରିତ ଅଠର ହଜାର ଶ୍ଳୋକ ବିଶିଷ୍ଟ ଗ୍ରନ୍ଥରେ ପରିଣତ କରାଇଲେ।

ବର୍ତ୍ତମାନ ଉପଲବ୍ଧ ଶ୍ରୀମଦ ଭାଗବତର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ ହେଲା “ଶ୍ରୀମଦ ଭାଗବତେ ମହାମୁନି କୃତେ” ଭାଗବତର ପ୍ରସିଦ୍ଧ ଟୀକାକାର ଶ୍ରୀଧର ସ୍ୱାମୀ ଏଠାରେ ଉଲ୍ଲେଖ ଥିବା ମହାମୁନିଙ୍କୁ ସ୍ୱୟଂ ନାରାୟଣ ବୋଲି ଅଭିହିତ କରିଛନ୍ତି। ଅର୍ଥାତ ଭାଗବତ ହେଉଛି ସ୍ୱୟଂ ଭଗବାନଙ୍କ କୃତି ବା ସୃଷ୍ଟି। ଆସନ୍ତୁ ତେବେ ସେହି ଭଗବାନ ମୁଖ ନିଃସୃତ ଅମୃତ ପାନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-9-amrit-is-like-glass-while-shrimad-bhagavad-gita-is-like-a-gem/

Comments are closed.