ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି । ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ ।
ଦଳର ରାଜ୍ୟ ପରିଷଦ ବୈଠକ ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ହେବ । ଏଥିରେ ଦଳର ବହୁ ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ଜଣାପଡ଼ିଛି । ଆଗକୁ ଦଳର ରଣନୀତି କ’ଣ ହେବ ଏବଂ ଦଳର କେଉଁ ସବୁ ସଙ୍ଗଠନର ଦାୟିତ୍ୱ କେଉଁମାନଙ୍କୁ ବଣ୍ଟାଯିବ ସେସବୁ ବିଷୟରେ ଆଲୋଚନା ହୋଇପାରେ ।
ରାଜ୍ୟ ସଭାପତି ସହ ଦଳ ପକ୍ଷରୁ ବାକି ଥିବା ସାଂଗଠନିକ ଜିଲାଗୁଡ଼ିକର ସଭାପତି ଘୋଷଣା କରାଯିବା ମଧ୍ୟ ସମ୍ଭାବନା ରହିଛି । ଏଥିସହ ୩୫୫ ଜଣଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଓ ୮୧ ଜଣଙ୍କୁ ନେଇ ରାଜ୍ୟ ପରିଷଦ ଘୋଷଣା ହେବ ବୋଲି ଜଣାପଡ଼ିଛି । ଏହାପରେ ରାଜ୍ୟ କମିଟି, ଯୁବ, ଛାତ୍ର, ମହିଳା ଆଦି ଛାମୁଆ ସଂଗଠନ କମିଟି ଗଠନ କରାଯିବ ।
ମିଳିଥିବା ସୂଚନା ଅନୁସାରେ ସଭାପତି ଭାବେ ନବୀନ ଦାୟିତ୍ୱ ନେବା ପରେ ନୂଆ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିପାରନ୍ତି । ଉପସଭାପତି ସଂଖ୍ୟା ବୃଦ୍ଧି ହେବା ନେଇ ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ୧୯୯୭ରେ ବିଜେଡି ପ୍ରତିଷ୍ଠା ହେବା ଦିନରୁ ନବୀନ ବିଜେଡି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ନୂଆ ଦାୟିତ୍ୱ ନେବା ପରେ ନବୀନ ଦଳକୁ କି ଆହ୍ୱାନ ଦେବେ ତାହା ଉପରେ ରାଜନୈତିକ ମହଲର ନଜର ରହିଛି ।
Comments are closed.