ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଭକ୍ତି ଓ ପ୍ରେମ ପ୍ରଧାନ ଅଟେ। କାରଣ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଭକ୍ତର ଅଧୀନ ଓ ଭକ୍ତ ପ୍ରେମରେ ବନ୍ଧା। ଏଇଠି ମନରେ ପ୍ରଶ୍ନ ଆସେ ଆମ ଭଳି ସାଧାରଣ ମଣିଷଟିଏ କଣ ଭଗବାନଙ୍କ ପ୍ରକୃତ ଭକ୍ତ ହୋଇ ପାରିବା? ଏହି ପ୍ରଶ୍ନର ଉତ୍ତର ଥିଲା “ହଁ ନିଶ୍ଚୟ ହୋଇପାରିବ, ଯଦି ସେ ଶ୍ରୀମଦ ଭାଗବତଙ୍କ ଆଶ୍ରୟ ନେବ। କାରଣ ଶ୍ରୀମଦ ଭାଗବତ କହିଛନ୍ତି
“ନାଳଂ ଦ୍ଵିଜତ୍ବଂ ଦେବତ୍ବମୃଷୀତ୍ବଂ ବା
ସୁରାତ୍ମଜାଃ, ପ୍ରାଣନାୟ ମୁକୁନ୍ଦସ୍ୟ
ନ ବୃତ୍ତଂ ନ ବହୁଜ୍ଞତା, ନ ଦାନଂ
ନ ତପୋ ନ ଧ୍ୟାନଶୌଚଂ ନ ବ୍ରତାନି
ଚ, ପ୍ରୀୟତେଅମଳୟା ଭକ୍ତ୍ୟା
ହରିରନ୍ୟଦ ବିଡମ୍ବନମ”
ଅର୍ଥାତ ନିର୍ମଳ ଓ ନିଷ୍କାମ ଭକ୍ତି ଦ୍ୱାରା ହରି (ଭଗବାନ) ଯେପରି ପ୍ରୀତ ହୁଅନ୍ତି, ସେପରି ପ୍ରୀତ ସେ ତୁମର ଦ୍ଵିଜତ୍ବ, ଦେବତ୍ବ, ଋଷିତ୍ବ, ସଦବୃତ୍ତି
ବହୁଜ୍ଞତା, ଦାନ, ଯଜ୍ଞ, ତପସ୍ୟା, ଶୌଚ ଓ ବ୍ରତ ଆଦିରେ ହୁଅନ୍ତି ନାହିଁ। ସେଥିପାଇଁ ଏହି ଶ୍ଳୋକ ଶେଷରେ ବର୍ଣ୍ଣିତ ହୋଇଛି ହରି ଭକ୍ତି ବିନା ଏହି ସବୁ ଗୁଣ ବିଡମ୍ବନା ମାତ୍ର। ସେଥିପାଇଁ ଶ୍ରୀମଦ ଭାଗବତ ଶିକ୍ଷା ଦିଏ ମଣିଷ ଏହି ସବୁ ଉତ୍ତମ ଗୁଣ ସହ ଯଦି ହରିଙ୍କ ପାଖରେ ଭକ୍ତି କରିବା ଶଖିଯିବ ତେବେ ସେ ମଧ୍ୟ ଭକ୍ତ ପ୍ରହ୍ଲାଦ ପାଲଟିଯିବ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-13-selfless-devotion-is-the-path-to-true-liberation/
ନିଷ୍କାମ ଭକ୍ତି କେବଳ ସରଳ ମନଟିଏ ଚାହେଁ। ସମସ୍ତ ପ୍ରକାର ଜାଗତିକ ଗୁଣର ଆବଶ୍ୟକତା ଜଣେ ପ୍ରକୃତ ଭକ୍ତ ପାଇଁ ଜରୁରୀ ନୁହେଁ। ଜଣେ ପ୍ରକୃତ ଭକ୍ତ ଭଗବାନଙ୍କୁ ଯେପରି ବଶ କରିପାରିବେ, ତାହା କଦାପି ଜଣେ ପୌରୁଷ, ବିଦ୍ୟା, ଧନ, ରୂପ ତଥା ସଦାଚାର ଥିବା ମଣିଷ କରିପାରିବେ ନାହିଁ। ଶାସ୍ତ୍ର କହେ ସୃଷ୍ଟିକର୍ତ୍ତା ବ୍ରହ୍ମା କୁଟସ୍ଥ (ନିର୍ବିକାର ଚିତ୍ତ )ହୋଇ ବେଦଙ୍କୁ ତିନିବାର ପ୍ରଯ୍ୟାଲୋଚନା କରିବା ପରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ କର୍ମଯୋଗ ଓ ଜ୍ଞାନ ଯୋଗ ଅପେକ୍ଷା ଭକ୍ତିଯୋଗରେ ହିଁ ହରି (ଭଗବାନ )ପ୍ରୀତ ହୁଅନ୍ତି ଓ ଆମ ମନରେ ହରି ପ୍ରେମ ଜାଗ୍ରତ ହୋଇଥାଏ। ଓଡ଼ିଆ ଭାଗବତରେ ଶ୍ରୀଜଗନ୍ନାଥ ଦାସ ଲେଖିଛନ୍ତି
ତୁ ପରିପୂର୍ଣ୍ଣ ଯେ ଈଶ୍ୱର ।
ସ୍ଵଭାବେ ପ୍ରକୃତି ରୁପର ।।
ଭକତ କରେ ତୋତେ ବଶ ।
ତାର ରକ୍ଷଣେ ତୋ ପ୍ରକାଶ ।।
ଭକତ ହେତୁ ତୋର ତନୁ ।
ତେଣୁ ଭକତ ବାକ୍ୟ ମାନୁ ।।
ଯାହାଙ୍କୁ ଆମେ ଗୁହାରି ଜଣାଉଛେ ସେହି ହରି (ଭଗବାନ )ଯଦି ଭକ୍ତଟିର କଥା ମାନୁଛନ୍ତି ତେବେ ଆମେ ପ୍ରକୃତ ଭକ୍ତଟିଏ ନହେବା କାହିଁକି। ଆଉ ପ୍ରକୃତ ଭକ୍ତଟିଏ ହେବାର ପଥ ଯେ ଦେଖାଉଛି ସେହି ଶ୍ରୀମଦ ଭାଗବତର ଶରଣ ନନେବା କାହିଁକି? ଆସନ୍ତୁ ନା ନିଜକୁ ସାମିଲ କରିବା ଭାଗବତ ପ୍ରେମ ସ୍ରୋତରେ..
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.