ଶ୍ରୀନଗର: ପହଲଗାମ୍ ଆକ୍ରମଣ, ଯାହା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଛଡାଇ ନେଇଛି ଅନେକ ଆଖିର ଚମକ । ସ୍ମୃତି ବନାଇବାକୁ ଯାଇ ଆାତଙ୍କବାଦୀ ଗୁଳିରେ ଚିରଦିନ ପାଇଁ ସ୍ମୃତି ପାଲଟି ଯାଇଛନ୍ତି ପ୍ରାୟ ୨୮ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ । ଏବେ ବି ଜୀବନ ମରଣ ସାଙ୍ଗେ ଯୁଝୁଛନ୍ତି କିଛି ଆହତ । ଯାହାର ଭାରତ କଡା ଜବାବ ଦେବ । ପ୍ରସ୍ତୁତ ବି ହେଲାଣି । ଏହାକୁ ନେଇ ତନତନ ଯାଞ୍ଚ କରୁଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଆଜି ଜମ୍ମୁକାଶ୍ମୀର ପହଲଗାମରେ ଏନଆଇଏ ଡିଜି ସଦାନନ୍ଦ ବସନ୍ତ, ତାଙ୍କ ଟିମ୍ ସହ ଆତଙ୍କୀ ହମଲାକୁ ନେଇ ଛାନଭିନ୍ କରୁଛନ୍ତି । ଜମ୍ମୁକାଶ୍ମୀରର ୧୦୦ଟି ସ୍ଥାନରେ ରେଡ୍ କରିଛି ଏନଆଇଏ । ଆତଙ୍କୀ ହମଲାକୁ ନେଇ ଫାଇନାଲ ରିପୋର୍ଟ ପ୍ରସ୍ତୁତ କରିବ ଏନଆଇଏ ।
ଏହାରି ଭିତରେ ପହଲଗାମ ହମଲାକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । କିପରି ନରହନ୍ତା ଆତଙ୍କବାଦୀ ନିଜର ବର୍ବର କାଣ୍ଡ ଘଟାଇବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ, ତାକୁ ନେଇ ଭିଡିଓ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ପହଲଗାମରେ ଆଗରୁ ରେକି କରିଥିଲେ ଆତଙ୍କବାଦୀ । ହମଲାର ୨ ଦିନ ଆଗରୁ ପହଲଗାମରେ ଡେରା ପକାଇଥିଲେ । ବୈସରନ୍ ଘାଟି ସହ ୩ଟି ସ୍ଥାନ ବି ଆତଙ୍କୀଙ୍କ ଟାର୍ଗେଟରେ ଥିଲା । ସପ୍ତାହ ପୂର୍ବରୁ ସବୁ ସ୍ଥାନରେ ରେକି କରିଥିଲେ ଲସ୍କର ଆତଙ୍କବାଦୀ । ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଗୋଟିଏ ସପ୍ତାହ ପୂର୍ବରୁ, ଆତଙ୍କବାଦୀମାନେ ଏପ୍ରିଲ ୧୫ ତାରିଖରେ ଅଞ୍ଚଳର ତିନୋଟି ସ୍ଥାନର ଯାଞ୍ଚ କରିଥିଲେ । ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପହଲଗାମର ଆମ୍ୟୁଜମେଣ୍ଟ ପାର୍କ ସର୍ଭେ କରିଥିଲା, କିନ୍ତୁ ସୁରକ୍ଷା ବୃଦ୍ଧି ଯୋଗୁଁ ଏହି ସ୍ଥାନରେ ଆକ୍ରମଣ ଯୋଜନାକୁ ପରେ ବାତିଲ କରାଯାଇଥିଲା ।
ଆହୁରି ମଧ୍ୟ କହିଛନ୍ତି ପହଲଗାମର ବୈସାରନ ଉପତ୍ୟକାରେ ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଏକ ଅଲ୍ଟ୍ରାଷ୍ଟେଟ୍ ଯୋଗାଯୋଗ ବ୍ୟବସ୍ଥା ବ୍ୟବହାର କରିଥିବାର ଜଣାପଡିଛି । ଏହି ବ୍ୟବସ୍ଥା ଆତଙ୍କବାଦୀମାନଙ୍କୁ ସିମ୍ କାର୍ଡ ବ୍ୟବହାର ନକରି ପରସ୍ପର ସହ ଯୋଗାଯୋଗ ଏବଂ ବାର୍ତ୍ତା ଆଦାନପ୍ରଦାନ କରିବାକୁ ସାହାର୍ଯ୍ୟ କରିଥିଲା । ଯାହା ଅଳ୍ପ ଦୂରତା ଏବଂ ସୁରକ୍ଷିତ ଯୋଗାଯୋଗକୁ ସକ୍ଷମ କରିଥିଲା । ଆକ୍ରମଣ ସମୟରେ ଏହି ବ୍ୟବସ୍ଥାରୁ ଦୁଇଟି ସଙ୍କେତ ସେହି ଅଞ୍ଚଳରେ ଚିହ୍ନଟ କରାଯାଇଥିଲା।
ପ୍ରାଥମିକ ଫୋରେନ୍ସିକ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ସାମରିକ-ଗ୍ରେଡ୍ ଅସ୍ତ୍ରଶସ୍ତ୍ର ଏବଂ ଉନ୍ନତ ଯୋଗାଯୋଗ ଉପକରଣ ବ୍ୟବହାର କରିଥିଲେ, ଯାହା ଆଉଟର ଲଜିଷ୍ଟିକ୍ ସମର୍ଥନକୁ ସୂଚିତ କରିଥିଲା । ଏଥିସହିତ ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି, କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ବ୍ୟବହାର ହୋଇଥିବା ରଣନୀତି ଇସ୍ରାଏଲରେ ହୋଇଥିବା ହମାସର ରଣନୀତି ସହ ପ୍ରାୟ ସମାନ ରହିଥିଲା । ତଦନ୍ତକାରୀମାନେ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀମାନଙ୍କ ଦ୍ୱାରା ହେଲମେଟ୍-ମାଉଣ୍ଟେଡ୍ ବଡି କ୍ୟାମେରା, ପରିଚୟ ଯାଞ୍ଚ ଏବଂ ଏନକ୍ରିପ୍ଟ ହୋଇଥିବା ଆପ୍ ବ୍ୟବହାର ବିଷୟରେ ମଧ୍ୟ ରିପୋର୍ଟ କରିଥିଲେ । ଯାହା ଏକ ପର୍ଯ୍ୟଟନ କ୍ଷେତ୍ରରେ ଅଣ-ମୁସଲିମ, ବିଶେଷକରି ହିନ୍ଦୁମାନଙ୍କୁ ଟାର୍ଗେଟ କରିଥିଲା ।
ଗତ ୨୨ ଏପ୍ରିଲରେ, ତିନି ଜଣ ଆତଙ୍କବାଦୀ ପହଲଗାମ୍ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବୈସରନ୍ ନିକଟରେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେଉଁଥିରେ ୨୬ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ଆହୁରି ବୃଦ୍ଧି ହୋଇଛି । ଭାରତ ପ୍ରତିଶୋଧ ପରାୟଣ ହୋଇଥିବା ବେଳେ ପାକିସ୍ତାନ ଉପରେ ଗୋଟେ ପରେ ଗୋଟେ ପ୍ରତି ପ୍ରହାର ଜାରି ରଖିଛି । ଲସ୍କର-ଏ-ତୈବାର ଏକ ଶାଖା ଏବଂ ପ୍ରତିରୋଧ ଫ୍ରଣ୍ଟ (ଟିଆରଏଫ୍) ଏହି ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି । ହମଲାର ୩ ମୁଖ୍ୟ ଅଭିଯୁକ୍ତଙ୍କ ସ୍କେଚ୍ ବି ଜାରି କରାଯାଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି ବୈଠକରେ ପାକିସ୍ତାନ ବିରୁଦ୍ଧରେ ବ୍ୟାପକ କୂଟନୈତିକ ଏବଂ ରଣନୈତିକ ପ୍ରତିକାରମୂଳକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କକୁ ପ୍ରଭାବଶାଳୀ ଭାବରେ ହ୍ରାସ କରିବା, ପ୍ରମୁଖ ସୀମାନ୍ତ ପଥଗୁଡ଼ିକୁ ବନ୍ଦ କରିବା, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ଏବଂ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିଶନରୁ ସାମରିକ ଆଟାଚିଙ୍କୁ ବହିଷ୍କାର କରିବା ପଦକ୍ଷେପ ଅନ୍ତର୍ଭୁକ୍ତ ରହିଛି ।
Comments are closed.