ପୁରୀ: ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖାଦେଇଛି।ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା। କିନ୍ତୁ ଜଗନ୍ନାଥ ଧାମ ନାମକରଣ ଦେବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ସେବାୟତ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି।
ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁବ୍ରହ୍ମ ପୂଜା ପାଉଛନ୍ତି। କିନ୍ତୁ ଏବେ ଦୀଘାରେ ନୂତନ ଭାବେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ବିବାଦ ଦେଖାଦେଇଛି। ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଜଗନ୍ନାଥ ଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି। ଏଥିସହ ପ୍ରସ୍ତର ମୂର୍ତ୍ତି ବା ପଥର ବା ପାଷାଣ ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି।
ଅନ୍ୟପଟେ କିଛିଦିନ ପୂର୍ବରୁ ଦୀଘା ସୁଆରମହାସୁଆର ନିଯୋଗ ତରଫରୁ ଶ୍ରୀମନ୍ଦିର ଚାରିପଟେ ନୋଟିସ୍ ଯୋଗେ ନିର୍ଦେଶନାମା ଲଗାଯାଇଥିଲା। ଦୀଘା ଜଗନ୍ନାଥ ମନ୍ଦିରରେ ରୋଷେଇ କିମ୍ବା ରୋଷେଇ କାର୍ଯ୍ୟରେ ସାହାଯ୍ୟ କଲେ ଶ୍ରୀମନ୍ଦିର ସେବକଙ୍କୁ ନିଲମ୍ୱନ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଥିଲା।ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲଗାଯାଇଛି।
ଦୀଘାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରୋଷ କାର୍ଯ୍ୟରେ ଯୋଗ ଦେଲେ ନିଯୋଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ରୋଷ କାର୍ଯ୍ୟରେ ରନ୍ଧନ କିମ୍ବା ସାହାଯ୍ୟ କଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ବାସନ୍ଦ କରାଯିବା ସହ କର୍ମଚାରୀ ମାନଙ୍କୁ ରୋଷ କାର୍ଯ୍ୟରୁ ସବୁଦିନ ପାଇଁ ନିଲମ୍ବିତ କରାଯିବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ ନାରାୟଣ ମହାସୁଆର। ଅନ୍ୟପଟେ ଦୀଘା ମନ୍ଦିରରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ କୌଣସି ବେଶ ନକରିବାକୁ ଓ ସେଠାକୁ ନଯିବାକୁ ପୁଷ୍ପାଳକ ନିଯୋଗ ପକ୍ଷରୁ ମଧ୍ୟ କୁହାଯାଇଛି।
Comments are closed.