ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ ଶ୍ରୀମଦ ଭାଗବତ ଏପରି ଏକ ଅମୂଲ୍ୟ ଗ୍ରନ୍ଥ ଯାହା କେବଳ ପ୍ରଭୁଙ୍କର ଲୀଳା ବର୍ଣ୍ଣନା ରେ ସୀମିତ ନୁହେଁ। ଏହା ମନ୍ୟୁଷଙ୍କୁ ମୁକ୍ତି ପଥ ଦେଖାଇବାର ଅନେକ ଉପଦେଶ ପ୍ରଦାନ କରିଥାଏ। ରାଜା ପରୀକ୍ଷିତ ଅଠାଅଶି ହଜାର ସାଧୁଙ୍କ ସଙ୍ଗ ଲାଭ କରି ବିଷ୍ଣୁ ଲୋକ ପ୍ରାପ୍ତ ହେଲେ। ଏହା ସୂଚେଇବା ସହିତ ପ୍ରକୃତ ସାଧୁଙ୍କ ଲକ୍ଷଣ ମଧ୍ୟ ଏଥିରେ ବର୍ଣ୍ଣତ ହୋଇଛି। ବିଶେଷତଃ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତରେ ଏହା ବର୍ଣ୍ଣିତ
ସେ ସାଧୁ ବୋଲଇ ସଂସାରେ।
ପ୍ରାଣୀଙ୍କୁ ଯେବେ ଦୟା କରେ।।
+ + + +
ସୁବୁଦ୍ଧି ସାଧୁ ଯେ ପ୍ରଧାନ।
ହିଂସା ନକରେ କଦାଚନ।।
ଏ ନର ଲୋକେ ସାଧୁ ଯେତେ।
କୋପ ନବସେ ତାଙ୍କ ଚିତ୍ତେ।।
ଏହା ତ ସାଧୁଙ୍କ ଲକ୍ଷଣ, କିନ୍ତୁ ସାଧୁଙ୍କ ପ୍ରକୃତ ଆଚରଣ ମଧ୍ୟ ଶ୍ରୀଜଗନ୍ନାଥ ଦାସ ଖୁବ ସୁନ୍ଦର ଭାବରେ କହିଛନ୍ତି
ମାୟା ସଂସାର ଘୋର ବନେ।
ଏ ଜୀବ ଭ୍ରମେ ଅକାରଣେ।।
ଏଣୁ ପଣ୍ଡିତ ସାଧୁ ଜନ।
ମୋ ଦେହେ ଦେଇ ବୁଦ୍ଧି ମନ।।
ସଂସାର ଚିନ୍ତା ଦୂର କରି।
ଚିତ୍ତେ ମୋ ଚରଣ ସୁମରି।।
ଅର୍ଥାତ ମାୟା ପୂର୍ଣ୍ଣ ଏ ସଂସାର ମଧ୍ୟରେ ରହି ସାଧାରଣ ମଣିଷ ଅକାରଣ ଭ୍ରମୁଥାଏ, କିନ୍ତୁ ସତପୁରୁଷ ଅବା ସାଧୁ ମାନେ ସମସ୍ତ ସାଂସାରିକ ମାୟା ଓ ପ୍ରଲୋଭନକୁ ପଛକୁ ପକାଇ ପ୍ରଭୁଙ୍କର ପାଦ ପଦ୍ମକୁ ସୁମରଣା କରୁଥାନ୍ତି। ଏହା ଦ୍ୱାରା ସେମାନେ ବିଶୁଦ୍ଧ ଈଶ୍ୱର ପ୍ରେମର ଅଧିକାରୀ ହୋଇଥାନ୍ତି। ସାଧୁ ସନ୍ଥ ମାନେ ସକଳ ବିଶ୍ୱକୁ ପ୍ରେମ କରୁଥିବାରୁ ସେମାନେ ବିଶ୍ଵପ୍ରେମୀ ଭାବରେ ମଧ୍ୟ ବିଦିତ ହୋଇଥାନ୍ତି।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-23-the-association-of-saints-increases-knowledge/
ସମସ୍ତଙ୍କ ଠାରେ ଅର୍ଥାତ ସମସ୍ତ ପ୍ରାଣୀଙ୍କ ଠାରେ ସେମାନେ ପରମେଶ୍ୱରଙ୍କ ଅସ୍ତିତ୍ୱ ଉପଲବ୍ଧି କରନ୍ତି ଓ ସେମାନେ ସମଦର୍ଶୀ ଅଟନ୍ତି। ଏଠାରେ ଭକ୍ତ କବି ମଧୁସୂଦନ ରାଓ ସାଧଙ୍କୁ ଉପକାରୀ ମେଘ ସହ ତୁଳନା କରି ଲେଖିଛନ୍ତି
ସଲିଳ ସଂଚୟ କରି ବାରିଦ ଯେସନେ, ଲୋକହିତ ଲାଗି ତାହା କରଇ ବର୍ଷ୍ଣ। ସାଧୁଜନ ସେହିପରି ଅରଜିଣ ଧନ, ଲୋକହିତ ଲାଗି ତାହା କରେ ବିତରଣ।।
ଏମିତି ସାଧୁ ସଙ୍ଗଙ୍କ ଵିଷୟରେ ଅନେକ ଉପାଖ୍ୟାନ ଶ୍ରୀମଦ ଭାଗବତରେ ରହିଅଛି, ଆସନ୍ତୁ ଶ୍ରୀମଦ ଭାଗବତଙ୍କୁ ସର୍ବଦା ପଠନ ମନନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି.ଉଵାଚ)
Comments are closed.