Latest Odisha News

BREAKING NEWS

କାହିଁକି ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚିନ୍ତାରେ ପୁରୀ?

ଭୁବନେଶ୍ବର: ପଶ୍ବିମବଙ୍ଗ ଦୀଘାରେ ଗୁରୁବାର ପ୍ରତିଷ୍ଠା ପାଇଛି ଏକ ଜଗନ୍ନାଥ ମନ୍ଦିର । ମମତା ସରକାରଙ୍କ ଦ୍ବାରା ନିର୍ମିତ ଏହି ସୁଉଚ୍ଚ ଆଉ ସୁନ୍ଦର ମନ୍ଦିରକୁ ନେଇ ଏବେ କିନ୍ତୁ ବିବାଦ ତେଜିଛି । ଏହା ନାମକରଣକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତ ।  ତେବେ ଅନେକ ସ୍ଥାନରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ହେଲେ ଦୀଘା ମନ୍ଦିରକୁ ନେଇ କାହିଁକି ଅସନ୍ତୋଷ ସୃଷ୍ଟି ହୋଇଛି?

ଦୀଘା ମନ୍ଦିର ନିର୍ମାଣ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଦୀଘା ସମୂଦ୍ରକୂଳବର୍ତ୍ତୀ ଅଞ୍ଚଳ, ପୁରୀରୁ ପ୍ରାୟ ୩୫୦ କିଲୋମିଟର ଦୂର, ୨୪ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟରେ ମମତା ସରକାର ନିର୍ମାଣ କରିଛନ୍ତି ଏକ ନୂଆ ଜଗନ୍ନାଥ ମନ୍ଦିର । ଅବିକଳ ପୁରୀ ମନ୍ଦିର ପରି ନହେଲେ ମଧ୍ୟ, ପୁରୀ ମନ୍ଦିର ପରି, ଦୀଘା ମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଦେବୀ ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ୨୧୩ ଫୁଟ ଉଚ୍ଚ ଏହି ମନ୍ଦିରଟି ବିଶ୍ୱ ପ୍ରସିଦ୍ଧ ପୁରୀ ମନ୍ଦିରର ଏକ ପ୍ରତିକୃତି । ଏଥିସହିତ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ବାଲିପଥରରେ ନିର୍ମିତ ହୋଇଛି ।

ଯାହାକୁ ମମତା ସରକାର ୨୦୧୯ ମସିହାରେ ଘୋଷଣା କରିଥିଲେ । ପଶ୍ଚିମବଙ୍ଗ ହାଉସିଂ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କର୍ପୋରେସନ ଦ୍ୱାରା ତଦାରଖ କରାଯାଇ ୨୦୨୨ ମେ ମାସରେ ଏହି ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଗତକାଲି ଅର୍ଥାତ୍ ଅକ୍ଷୟ ତୃତୀୟା ଅବସରରେ ଏହାକୁ ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗ ସରକାର । ୩୦ ଏପ୍ରିଲରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ପୁରୀ ମନ୍ଦିରର ଜଣେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଏବଂ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିସନେସ, ଇସ୍କନର ସେବକମାନେ ଯୋଗ ଦେଇଥିଲେ । ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ଏହି ମନ୍ଦିରରେ ଅଣ-ହିନ୍ଦୁ ଏବଂ ବିଦେଶୀମାନଙ୍କୁ ଦୀଘା ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ମତ ରଖିଥିଲେ । ଯାହା ପୁରୀରେ କେବଳ ହିନ୍ଦୁମାନଙ୍କୁ ଅନୁମତି ଥିବା ଶହ ଶହ ବର୍ଷ ପୁରୁଣା ତଥା ବାଖ୍ୟା କରାଯାଇ ନ ଥିବା ପ୍ରଥାରୁ ଏକ ବିରତି ଦେବ ବୋଲି ସେ ଦର୍ଶାଇଥିଲେ ।

କାହିଁକି ମନ୍ଦିରକୁ ନେଇ ବିବାଦ?

ସେବାୟତଙ୍କ କହିବାନୁସାରେ ଜଗନ୍ନାଥଧାମ ନାମକରଣ କରିବାକୁ ସେମାନେ ତୀବ୍ର ବିରୋଧ କରିଛନ୍ତି । ଏଥିସହିତ ବ୍ରହ୍ମ ସ୍ଥାପନ କଥାକୁ ନେଇ ମଧ୍ୟ ସେମାନେ ବିରୋଧ କରୁଛନ୍ତି । ସେମାନଙ୍କ କହିବାନୁଯାୟୀ, ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ । ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି । କିନ୍ତୁ ଜଗନ୍ନାଥଧାମ ଓ ବ୍ରହ୍ମ ସ୍ଥାପନାକୁ ଅଗ୍ରହଣୀୟ ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ । କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥଧାମ କୁହାଯାଇପାରିବ ନାହିଁ ବୋଲି ସେବାୟତଙ୍କର ଦାବି ରହିଛି । ଜଗନ୍ନାଥଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ସେହିପରି ପୁରୀର କିଛି ଦଇତାପତି ସେବାୟତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଏହି ବିବାଦକୁ ବଢ଼ାଇଛି ।

ତେବେ ଏହି ମନ୍ଦିର ନେଇ ସୁଆର ମହାସୁଆର ସଭାପତି ପଦ୍ମନାଭ ମହାସୁଆର ଦି ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ମନ୍ତବ୍ୟ ଅନୁଯାୟୀ, ସେମାନେ ଦୀଘାରେ ମନ୍ଦିରର ଉଦଘାଟନକୁ ସ୍ୱାଗତ କରୁଛନ୍ତି । ଭକ୍ତମାନେ ଏହାକୁ ଦର୍ଶନ କରନ୍ତୁ ବୋଲି ଆହ୍ବାନ ବି ଦେଇଛନ୍ତି  । କିନ୍ତୁ ତାଙ୍କର ବିରୋଧ ହେଉଛି, ନୂତନ ମନ୍ଦିରରେ ମୂଳ ମନ୍ଦିରର ପାରମ୍ପରିକ ରୀତିନୀତିକୁ ନକଲ କରାଯିବା ଉଚିତ୍ ନୁହେଁ । ଦୀଘା  ଏବଂ ଦେଶର ଅନ୍ୟ ଜଗନ୍ନାଥ ମନ୍ଦିରରେ ଏହି ସମାନ ରୀତିନୀତି କରିବା ଦ୍ୱାରା ପୁରୀ ମନ୍ଦିରର ଗୁରୁତ୍ୱ ହ୍ରାସ ପାଇବ ବୋଲି ସେ ଯୁକ୍ତି ବାଢିଛନ୍ତି । ଏଥିସହିତ  ପୁରୀ ମନ୍ଦିରରେ ଭୋଗ ପ୍ରସ୍ତୁତ କରୁଥିବା ସୁଆର ମହାସୁଆର ଏବଂ ପ୍ରତିଦିନ ଦେବତାମାନଙ୍କୁ ସଜ୍ଜିତ କରୁଥିବା ପୁଷ୍ପାଳକ ପରି ସେବକ ଗୋଷ୍ଠୀମାନେ ଦୀଘା ମନ୍ଦିରରେ କୌଣସି ପୂଜାପାଠରେ ଅଂଶଗ୍ରହଣ ନକରିବାକୁ ନୋଟିସ ମଧ୍ୟ ଲଗାଇଥିଲେ ।

ବିବାଦ ମୂଳରେ ଜଗନ୍ନାଥ ଧାମ?

ପୁରୀ ମନ୍ଦିରର ଅନେକ ସଂସ୍କୃତି ଗବେଷକ ଏବଂ ବରିଷ୍ଠ ସେବକ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ମନ୍ଦିର ପାଇଁ ‘ଧାମ’ ଶବ୍ଦ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଦୀଘା ମନ୍ଦିର ପାଇଁ ବିଜ୍ଞାପନରେ ‘ଧାମ’ ଶବ୍ଦ ଏବଂ ନୀଳଚକ୍ରର ଏକ ଚିତ୍ର ବ୍ୟବହାର କରିଥିଲେ, ଯାହାକୁ ନେଇ ପୂରା ବିବାଦ ଆରମ୍ଭ ହୋଇଥିଲା ।

ଏହାକୁ ନେଇ ପୁରୀ ମନ୍ଦିରର ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମରେ କେବଳ ଚାରୋଟି ଧାମ ଅଛି – ବଦ୍ରିନାଥ, ଦ୍ୱାରକା, ପୁରୀ ଏବଂ ରାମେଶ୍ୱରମ୍ । ଏଥିସହିତ  ଦୀଘା ମନ୍ଦିରର ମୂର୍ତ୍ତିଗୁଡ଼ିକ ପଥରରେ ତିଆରି, ଯାହା ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ହୋଇପାରିବ ନାହିଁ । ହିନ୍ଦୁ ପରମ୍ପରା ଅନୁସାରେ, ପ୍ରଭୁ ଜଗନ୍ନାଥ ହେଉଛନ୍ତି ଦାରୁ ବ୍ରହ୍ମା, ଏବଂ ସେ କେବେ ପଥରରେ ତିଆରି ନୁହଁନ୍ତି। ଦାରୁ ହେଉଛି କାଠ, ଏବଂ ବ୍ରହ୍ମା ହେଉଛନ୍ତି ସର୍ବୋଚ୍ଚ ଶକ୍ତି। ମୂର୍ତ୍ତିଗୁଡ଼ିକ ନିମ କାଠରେ ତିଆରି ବୋଲି ସେ ଦର୍ଶିଛନ୍ତି ।

କାହିଁକି ଚିନ୍ତାରେ ପୁରୀ?

ଦୀଘାରେ ଜଗନ୍ନାଥ ମନ୍ଦିର ହେବା ପରେ ଏଥିରେ ପୁରୀର ଚିନ୍ତା ବଢିଯାଇଛି । କାରଣ, ପୁରୀ ସେବକମାନଙ୍କର କହିବାନୁଯାୟୀ, ବଙ୍ଗଳା ପର୍ଯ୍ୟଟକ ଏବଂ ଭକ୍ତଙ୍କ ପାଇଁ ଦୀଘା ମନ୍ଦିର ପୁରୀର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇପାରେ । ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ଏକ ବଡ ଅଂଶ ପଶ୍ଚିମବଙ୍ଗରୁ ଆସିଥାନ୍ତି । ଓଡିଶା ସରକାରଙ୍କ ଷ୍ଟାଟିଷ୍ଟିକଲ୍ ବୁଲେଟିନ୍ ୨୦୨୩ ଅନୁଯାୟୀ, ସେହି ବର୍ଷ ରାଜ୍ୟକୁ ଆସିଥିବା ୯୭.୨୫ ଲକ୍ଷ ଘରୋଇ ପର୍ଯ୍ୟଟକଙ୍କ ମଧ୍ୟରୁ ସର୍ବାଧିକ ୧୩.୫୯ ଲକ୍ଷ, ଯାହା ପ୍ରାୟ ୧୪ ପ୍ରତିଶତ, କେବଳ ପଶ୍ଚିମବଙ୍ଗରୁ ଆସିଥିଲେ । ୨୦୨୨ରେ ଏବଂ ୨୦୨୧ରେ ମଧ୍ୟ ଓଡିଶାରେ ପର୍ଯ୍ୟଟକ ଆଗମନରେ ବଙ୍ଗାଳୀଙ୍କ ଭାଗୀଦାର ପ୍ରାୟ ସମାନ ରହିଥିଲା । ଆଉ ସେଠି ଜଗନ୍ନାଥ ମନ୍ଦିର ହେଲେ, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି ।

ଯାହାକୁ ନେଇ ଜଣେ ପ୍ରମୁଖ ଟୁର୍ ଅପରେଟର କହିଛନ୍ତି, ପୁରୀର ଜଗନ୍ନାଥ ମନ୍ଦିରର ବିଶାଳ ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ । ଦିଘା ଏପର୍ଯ୍ୟନ୍ତ ପୁରୀ ଏବଂ କୋଣାର୍କ, ଚିଲିକା ଏବଂ ଭୁବନେଶ୍ୱର ଭଳି ଅନ୍ୟାନ୍ୟ ସ୍ଥାନର ପର୍ଯ୍ୟଟନ ଭିତ୍ତିଭୂମି ସହିତ ମେଳ ଖାଇଲା ପରି ସ୍ଥିତିରେ ନାହିଁ । ତଥାପି ଯଦି ଓଡ଼ିଶା ସରକାର ପୁରୀ ମନ୍ଦିରରେ ଭକ୍ତଙ୍କ ଅଭିଜ୍ଞତା ବୃଦ୍ଧି କରିବା ଏବଂ ଦର୍ଶନକୁ ଅସୁବିଧାମୁକ୍ତ କରିବା ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

Comments are closed.