Latest Odisha News

BREAKING NEWS

କମ୍ବିଂ ଅପରେସନ୍‌ ସମୟରେ ୪ଟି ଆଇଇଡି ଠାବ, ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

ରାୟଗଡ଼ା: କିଛି ଦିନର ବ୍ୟବଧାନ ପରେ ରାୟଗଡ଼ା ଜିଲ୍ଲାରେ ପୁଣି ସକ୍ରିୟ ହୋଇଉଠିଛନ୍ତି ମାଓବାଦୀ । କମ୍ବିଂ ଅପରେସନ୍‌ ସମୟରେ ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରୁ ୩ ଟିଫିନ୍‌ ବୋମା ଓ ଗୋଟିଏ ପ୍ରେସର ବୋମାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ । ଏନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ସ୍ବାଥି ଏସ୍‌. କୁମାର ।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପ‌ରେ ଜଗଦଲପୁର ଓ ଶରଧାପୁର ଜଙ୍ଗଲରେ ଡିଭିଏଫ୍‌ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା । ଅପରେସନ୍‌ ସମୟରେ ତଳେ ପୋତା ଯାଇଥିବା ୪ଟି ଆଇଇଡିକୁ ଯବାନ ଠାବ କରିଥିଲେ । ଆଇଇଡି ଗୁଡ଼ିକର ଓଜନ ପ୍ରାୟ ୪ରୁ ୫କେଜି ରହିଥିଲା । ଆଇଇଡିଗୁଡ଼ିକୁ ସିଆରପିଏଫର ବମ୍‌ ସ୍କ୍ବାଡ୍‌ ସହାୟତାରେ ନିଷ୍କ୍ରିୟ କରାଯାଇଛି ।

ତେବେ ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଏହି ଆଇଇଡିଗୁଡ଼ିକୁ ପୋତିଥିଲେ । ମାଓବାଦୀଙ୍କ ଗତିବିଧିକୁ ରୋକିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Comments are closed.