Latest Odisha News

BREAKING NEWS

ଆଜି ରାଜ୍ୟରେ ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌, ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌

ଭୁବନେଶ୍ୱର: ଆଜି (ବୁଧବାର) ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ୍‌। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଅଧ ମିନିଟ୍‌ କି ମିନିଟିଏ ନୁହେଁ, ସାଇରନ୍‌ ଶଦ୍ଦରେ ୫ ମିନିଟ୍‌ ଧରି ଚର୍ତୁଦିଗ କମ୍ପି ଉଠିବ। ଆରମ୍ଭ ହେବ ବେସାମରିକ ନାଗରିକ ପ୍ରତିରକ୍ଷା ଅଭ୍ୟାସ। ଯୁଦ୍ଧ ପାଇଁ ଓଡ଼ିଶା କେତେ ପ୍ରସ୍ତୁତ, ସେନେଇ ସ୍ଥିତି ପରଖାଯିବ। ତେବେ ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ। ଆଜିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ।

୧୯୭୧ ମସିହା ପରେ ପ୍ରଥମଥର ସମ୍ଭାବ୍ୟ ଯୁଦ୍ଧ ପାଇଁ ଏଭଳି ପ୍ରତିରକ୍ଷା ଅଭ୍ୟାସ କରାଯିବ। ଏହି ମକ୍‌ଡ୍ରିଲ୍‌ର ସମୟ ଯେତିକି ପାଖଉଛି, ଲୋକଙ୍କ ମନରେ ସେତିକି ଛନ୍‌କା ପଶୁଛି। ଶତ୍ରୁ ବିମାନରୁ ଶୂନ୍ୟରୁ ବୋମା, ଗୋଳାବାରୁଦ ବର୍ଷିଲେ, କ’ଣ କରିବେ? ଆକାଶମାର୍ଗ ଆକ୍ରମଣରୁ ନିଜେ ବର୍ତ୍ତିବା ସହ ଅନ୍ୟକୁ କେମିତି ବଞ୍ଚାଇବେ? ସେନେଇ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଅଗ୍ନିଶମ ଡିଜିଙ୍କ କହିବା ମୁତାବକ, ସହରାଞ୍ଚଳ ସହ ଉପକୂଳ ଜିଲ୍ଲାରେ ମକ୍‌ ଡ୍ରିଲ୍‌ କରାଯିବ। ଏହି ପ୍ରସ୍ତୁତି ଆଗାମୀ ସପ୍ତାହ ଯାଏଁ ଚାଲିବ। ସାଇରନ ବାଜିବା କ୍ଷଣି ଲୋକମାନେ ସୁରକ୍ଷିତ ରହିବାକୁ କଂକ୍ରିଟ୍‌ ଛାତ ଥିବା ଘର ଭିତରକୁ ଚାଲିଯିବେ। ବିମାନ ଆକ୍ରମଣ ବେଳେ କେହି ରାସ୍ତାଘାଟରେ ଥିଲେ କିମ୍ବା ନିକଟରେ କଂକ୍ରିଟ୍‌ ଛାତ କି ଆଶ୍ରୟସ୍ଥଳ ନଥିଲେ। ବିପତ୍ତି ନଟଳିବା ଯାଏଁ କାନକୁ ଚାପି ତଳେ ଲମ୍ବ ହୋଇ ଶୋଇରହିବେ। ବସ୍ତିବାସିନ୍ଦାମାନଙ୍କ ପାଇଁ ବିଭିନ୍ନ ସ୍କୁଲକୁ ଆଶ୍ରୟସ୍ଥଳ ଭାବେ ନିର୍ଦ୍ଧାରଣ କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଆଶ୍ରୟ ନେଇପାରିବେ।

ଥରେ ଆକ୍ରମଣର ପ୍ରଭାବ ସରିଲେ, ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ପୁଣି ଲମ୍ବା ସାଇରନ୍‌ ବଜାଇବେ। ଯାହାକି ସୂଚାଇବ ଯେ, ଶତ୍ରୁ ବିମାନ ଫେରିଗଲା। ଏହାପରେ ବେସାମରିକ ପ୍ରତିରକ୍ଷା, ଏନସିସି, ଏନଏସଏସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟକୁ ଆଗେଇବେ। ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନା ନିଆଯିବ। ସ୍ଥାନାନ୍ତର ପ୍ରକ୍ରିୟାର ଅଭ୍ୟାସ ପାଇଁ ବ୍ୟାପକ ରିହର୍ସାଲ କରାଯିବ।

 

Comments are closed.