ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ହଠାତ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି । ତେବେ ସେ ଅବସର ନେବା ପଛରେ ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଇଂଲଣ୍ଡ ବିପକ୍ଷ ସିରିଜରୁ ତାଙ୍କୁ ଅଧିନାୟକ ପଦରୁ ହଟାଯିବା ଖବର ପ୍ରକାଶ ପାଇଥିଲା । ଏହା ପରେ ହିଟମ୍ୟାନ ଅବସର ନେଇଥିଲେ । ଖରାପ ଫର୍ମ, କୋଚ ଗୌତମ ଗମ୍ଭୀରଙ୍କ ସହ ମତଭେଦ ନାଁ ଏହି ଅବସର ପଛରେ ଆଉ କିଛି କାରଣ ରହିଛି ।
ରୋହିତଙ୍କ ନେତୃତ୍ୱରେ ଭାରତ ଦିନିକିଆ ବିଶ୍ୱକପ ଫାଇନାଲରେ ପରାଜିତ ହୋଇଥିଲା । ଏହା କ୍ରିକେଟପ୍ରେମୀଙ୍କୁ ବ୍ୟଥୀତ କରିଥିଲା । ଅବଶ୍ୟ ଏହା ପରେ ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ପ୍ରଶଂସକଙ୍କ ପ୍ରିୟ ହୋଇ ଯାଇଥିଲେ ହିଟମ୍ୟାନ । ତେବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରି ନ ପାରିବା ଏବଂ ବ୍ୟକ୍ତିଗତ ଖରାପ ଫର୍ମ ତାଙ୍କୁ ଅସୁବିଧାରେ ପକାଇଥିଲା ।
ଅଧିନାୟକ ଭାବେ ରୋହିତଙ୍କ ପ୍ରଦର୍ଶନ: ରୋହିତଙ୍କ ନେତୃତ୍ୱରେ ଭାରତ ୨୪ଟି ଟେଷ୍ଟ ମ୍ୟାଚ ଖେଳିଛି । ଏଥିରେ ୧୨ଟିରେ ଭାରତ ବିଜୟୀ ହୋଇଥିବା ବେଳେ ୯ ଟେଷ୍ଟରେ ପରାଜିତ ହୋଇଥିଲା । ୩ମ୍ୟାଚ ଡ୍ର ରହିଥିଲା । ଅଧିନାୟକ ଭାବେ ରୋହିତ ୨୪ ମ୍ୟାଚରେ ୪୨ ଇନିଂସରେ ୧୨୫୪ ରନ କରିଥିଲେ । ଏଥିରେ ୪ ଶତକ ଓ ୪ ଅର୍ଦ୍ଧଶତକ ସାମିଲ । ୧୩୧ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ରହିଥିଲା ।
ଖରାପ ଫର୍ମ: ୨୦୨୪ ଜାନୁୟାରୀ ପରେ ରୋହିତଙ୍କ ଫର୍ମ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଥିଲା । ଏହି ସମୟ ମଧ୍ୟରେ ସେ ୧୪ ଟେଷ୍ଟରେ ୨୪.୭୬ ଇନିଂସରେ ୬୧୯ ରନ କରିଥିଲେ । ଏଥିରେ ୨ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ।
କାଳ ହେଲା ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ନିକଟରୁ ଘରୋଇ ପରିବେଶରେ ୩ଟି ଯାକ ଟେଷ୍ଟ ହାରିଥିଲା । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଏହି ସିରିଜ ଜିତିବା ଜରୁରୀ ଥିଲା । ପରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ମଧ୍ୟ ଭାରତ ୧-୩ରେ ହାରି ଫାଇନାଲ ଦୌଡରୁ ବାଦ ପଡିଥିଲା । ରୋହିତଙ୍କ ଫର୍ମ ଏବଂ ନେତୃତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା ।
କୋଚଙ୍କ ସହ ମତଭେଦ: ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀରଙ୍କ ସହ ରୋହିତଙ୍କ ମତଭେଦ ସମ୍ମୁଖକୁ ଆସିଥିଲା । ଏଥି ଯୋଗୁ ଡ୍ରେସିଂ ରୁମରେ ଖେଳାଳିମାନେ ୨ ଭାଗ ହୋଇ ଯାଇଥିଲେ । ସହକାରୀ କୋଚ ଚୟନ ନେଇ ଗମ୍ଭୀର ଓ ରୋହିତ ମୁହାଁମୁହିଁ ହୋଇଥିଲେ ।
ସୂଚନା ଦେଇଥିଲେ ଚୟନ କମିଟି: ଇଂଲଣ୍ଡ ବିପକ୍ଷ ଗସ୍ତ ପୂର୍ବରୁ ଚୟନ କମିଟି ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବା ନେଇ ସୂଚନା ଦେଇଥିଲେ । ଖେଳାଳି ଭାବେ ଟେଷ୍ଟ ଟିମରେ ସ୍ଥାନ ପାଇବା ରୋହିତଙ୍କ ପାଇଁ କଷ୍ଟକର ହୋଇପଡିଥାନ୍ତା । ଶେଷରେ ସେ ନିରାଶ ହୋଇ ଅବସରର ପନ୍ଥା ବାଛି ନେଇଥିଲେ ।
Comments are closed.