ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଆଜି ସକାଳେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି, ଏବଂ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଏମ୍ସ ଋଷିକେଶକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ପୁଲିସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (SDRF), ଅଗ୍ନିଶମ ବିଭାଗ, ଚିକିତ୍ସା ଦଳ ଓ ଅନ୍ୟାନ୍ୟ ରିଲିଫ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ।
ଗୁରୁବାର ସକାଳ ପ୍ରାୟ ୮:୪୫ରେ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଗଙ୍ଗନାନୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟର ଏୟାରୋଟ୍ରାନ୍ସ କମ୍ପାନୀର ଥିଲା, ଯାହା ଆଜି ସକାଳେ ସହସ୍ତ୍ରଧାରା ହେଲିପ୍ୟାଡରୁ ହରସିଲ ଅଭିମୁଖେ ଉଡ଼ାଣ ଭରିଥିଲା। ହେଲିକପ୍ଟରରେ ପାଇଲଟଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମୁମ୍ବାଇ ଓ ୨ ଜଣ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି।
ଏହି ହେଲିକପ୍ଟର ଦୁର୍ଘଟଣା ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣାରେ ଅନେକ ଜଣଙ୍କ ମୃତ୍ୟୁର ଖବର ଅତ୍ୟନ୍ତ ଦୁଃଖଦ। ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ମୃତକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକାକୁଳ ପରିବାରଙ୍କୁ ଏହି ଅସହ୍ୟ ଦୁଃଖ ସହିବାର ଶକ୍ତି ଦିଅନ୍ତୁ।” ସେ ପ୍ରଶାସନକୁ ଆହତଙ୍କୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇବା ସହ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଏ ସମ୍ପର୍କରେ ଅଧିକାରୀଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ପ୍ରତ୍ୟେକ ସ୍ଥିତି ଉପରେ ନଜର ରଖିଛନ୍ତି।
Comments are closed.