Latest Odisha News

BREAKING NEWS

ତୋଷାଳି ମେଳାର ୪ର୍ଥ ସନ୍ଧ୍ୟା: ନାମିଦାମୀ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଛି ।

ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି । ପାରମ୍ପରିକ ଏବଂ ସମସାମୟିକ ହସ୍ତଶିଳ୍ପ, ହସ୍ତତନ୍ତ, ସ୍ଥପତିକାର ନିଜ ଦ୍ୱାରା ପ୍ରସ୍ତୁତ ସାମଗ୍ରିକୁ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଏହି ମେଳାରେ ୩୮୦ଟି ପ୍ରଦର୍ଶନ କକ୍ଷନିର୍ମାଣ କରାଯାଇଛି ।

ବୁଧବାର ସନ୍ଧ୍ୟାରେ ତୋଷାଳି ମେଳାରେ ସିଡାକ୍‌ର ମେମ୍ବର ସେକ୍ରେଟେରୀ ଶ୍ରୀ ସିତିକାନ୍ତ ଷଡଙ୍ଗୀ ଓ ବିଭାଗୀୟ ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ ।

ବିଶିଷ୍ଟ ଗାୟକ ତାରିକ୍‌ ଅଜିଜ୍‌ ଭାରତର ସୈନିକମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ସଂଗୀତକୁ ଉତ୍ସର୍ଗ କରି ‘ସଦେଶ ଆତେ ହେଁ…’ରୁ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ମନସ୍ୱନୀ ପଟ୍ଟନାୟକଙ୍କ ‘ନିଝୁମ ରାତିର ସାଥୀ…’, ଚଳିତ ବର୍ଷର ରାଜ୍ୟ ପୁରସ୍କାରପ୍ରାପ୍ତ ବିଭିନ୍ନ ଭାଷାରେ ୮୦ଟି ଗୀତ ଗାଇଥିବା ପ୍ରସିଦ୍ଧ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କର ‘ଚୁଲ୍‌ବୁଲି’, ‘ମୁଁ ଚଂଚଳ ନଈ’ ଭଳି ସଂଗୀତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରୋତ୍ସାହନରେ କଳାକାରମାନେ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ । ତୋଷାଳି ମେଳାରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ହସ୍ତ କଳାକୃତିର ପ୍ରସ୍ତୁତି ପ୍ରଣାଳୀ ସିଡାକ୍‌ର ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଛି ।

ମୁଖ୍ୟତଃ ପଥରଖୋଦେଇ, ଟେରାକୋଟା, ଚାନ୍ଦୁଆ କାମ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, କାଠ ଖୋଦେଇ ହସ୍ତଶିଳ୍ପଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀ ସଂପର୍କରେ ଲୋକମାନଙ୍କୁ ଅବଗତ କରାଯାଉଛି । ସିଡାକ୍‌ ତରଫରୁ ବର୍ଷିକିଆ ଡିଜାଇନ୍‌ ତାଲିମ ନେଇଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍‌ ହସ୍ତଶିଳ୍ପ ସାମଗ୍ରୀର ଏକ ଷ୍ଟଲ୍‌ ମଧ୍ୟ ଖୋଲାଯାଇଛି । ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ସଂପର୍କରେ ସୂଚନା ଦେବା ପାଇଁ ଏକ ଷ୍ଟଲ୍‌ ମଧ୍ୟ ଖୋଲାଯାଇଛି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବୁଣାକାର ଓ କାରିଗରମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଦର୍ଶକମାନଙ୍କୁ ଅବଗତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଷ୍ଟଲ୍‌ ଖୋଲାଯାଇଛି ।

ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ପ୍ରକାର ଯୋଜନା ସହାୟତା ଓ ସୁଯୋଗ ସମ୍ବନ୍ଧୀୟ ଧାରଣା ଦିଆଯାଉଛି । ଓଡ଼ିଶା ସହିତ ୨୧ଟି ରାଜ୍ୟରୁ ଆସିଥିବା କାରିଗରମାନଙ୍କ ପାଇଁ ୩୩୦ଟି ହସ୍ତଶିଳ୍ପ ଷ୍ଟଲ୍‌ ଖୋଲାଯାଇଛି ।

ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିଜାଇନରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବଜାର ଚାହିଦା ଉତ୍ପାଦଗୁଡ଼ିକ ଟେଷ୍ଟ ମାର୍କେଟିଂ ପାଇଁ ବ୍ୟବସ୍ଥା କରାଯାଇଛି ।

ଆଜି ମଞ୍ଚରେ ପୁରୀର ପ୍ରସିଦ୍ଧ ଲୋକନୃତ୍ୟ ଗୋଟିପୁଅ ନାଚ ଓ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ନୃତ୍ୟ ଛଉ ପ୍ରଦର୍ଶିତ ହେବ ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶାର ଲୋକକଳା ଯଥା ଧୁଡ଼ୁକି, କେନ୍ଦରା, ପାଲା, ଦାସକାଠିଆ ଆଦି ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଦର୍ଶିତ ହେଉଛି ।

ଚଳିତ ବର୍ଷ ମେଳାକୁ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ପଦକ୍ଷେପ ନିଆଯାଇଛି । ବ୍ରେଲି ଅକ୍ଷରରେ ମେଳା ସଂପର୍କିତ ସୂଚନା ପୁସ୍ତିକା ବଣ୍ଟନ କରାଯାଉଛି । ତୋଷାଳି ମେଳା ପ୍ରତିଦିନ ସକାଳ ୧୧ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହୁଛି ।

ଏହି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.