ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଅପରେସନ୍ ସିନ୍ଦୂର । ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ୍ କରିଥିଲା ଭାରତ । ଏହାପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଯୁଦ୍ଧ ରୋକିବାକୁ କୌଣସି ଉଦ୍ୟମ କରୁନି ଆମେରିକା । ଅପରେସନ୍ ସିନ୍ଦୂର ପରେ ଏହା ଶୀଘ୍ର ଶେଷ ହେଉ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାସହ କୌଣସି ସହାୟତା କରିବା ପାଇଁ ସେ ଉପସ୍ଥିତ ଥିବା କହିଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଆମେରିକା ହସ୍ତକ୍ଷେପ କରିବ ନାହିଁ ବୋଲି ଆମେରିକା ଉପରାଷ୍ଟ୍ରପଚି ଜେଡି ଭାନ୍ସ କହିଛନ୍ତି । ପ୍ରଶ୍ନ ଉଠୁଛି, ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ କାହିଁକି ନିଜକୁ ଦୂରେଇ ରଖିଛି ଆମେରିକା?
ଭାରତ ସହ ଭଲ ସଂପର୍କ
ଭାରତ ସହ ଆମେରିକାର ଭଲ ରଣନୈତିକ ସଂପର୍କ ରହିଛି । ଦକ୍ଷିଣ ଏସିଆରେ ଚୀନ୍ ନିଜ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଡ୍ରାଗନକୁ ଚେକ୍ ଦେବା ପାଇଁ ଆମେରିକାର ଭାରତ ସହ ସଂପର୍କ ରଣନୈତିକ ଦୃଷ୍ଟିରୁ ବି ବେଶ୍ ଗୁରୁତ୍ବପୂର୍ଣ୍ଣ । କ୍ବାଡ୍ ମେଣ୍ଟ ସଦସ୍ୟ ରହିଥିବା ଭାରତ ଆମେରିକାର ପ୍ରମୁଖ ବାଣିଜ୍ୟ ଅଂଶୀଦାର ବି ରହିଛି। ତେଣୁ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଜବାବି ଏୟାର ଷ୍ଟ୍ରାଇକକୁ ସମାଲୋଚନା କରିବା ଦୁଇ ଦେଶ ମଧ୍ୟରେ ସଂପର୍କ ବିଗାଡିପାରେ । ଆତଙ୍କବାଦକୁ ନେଇ ଭାରତର ଚିନ୍ତାକୁ ବୁଝିବା ସହ ଆମେରିକା ପାକିସ୍ତାନର ଆତଙ୍କୀ ଇତିହାସ ସଂପର୍କରେ ବି ଜାଣିଛି । ତେଣୁ ଭାରତ ଉପରେ ଚାପ ପକାଇବାକୁ ଚାହୁଁନି ଆମେରିକା ।
ପାକିସ୍ତାନ ଉପରେ କମିଛି ପ୍ରଭାବ
ଦିନେ ପାକିସ୍ତାନ ସହ ଆମେରିକାର ଦୃଢ ସାମରିକ ଓ ଗୁଇନ୍ଦା ସଂପର୍କ ରହିଥିଲା । ତେବେ ପାକିସ୍ତାନ ଆତଙ୍କବାଦକୁ ଶରଣ ଦେଇ ଦୋମୁହାଁ ନୀତି ଦେଖାଇଛି । ଓ୍ବାଶିଂଟନ ପକ୍ଷରୁ ପାକିସ୍ତାନକୁ ଆତଙ୍କବାଦୀ ନେଟଓ୍ବର୍କ ଭାଙ୍ଗିବାକୁ ବାରମ୍ବାର ଅପିଲ୍ କରାଯାଇଥିଲେ ମଧ୍ୟ ଦେଶ ସେନେଇ ଆବଶ୍ୟକ ଆକ୍ସନ୍ ନେଇନି । ସେପଟେ ସମୟକ୍ରମେ ଚୀନ୍ ସହ ଅଧିକ ଘନିଷ୍ଠ ହୋଇଥିବା ପାକିସ୍ତାନ ଆମେରିକା ଚାପ ପ୍ରତି ବିଶେଷ ଧ୍ୟାନ ଦେଇନି । ଫଳରେ ପାକିସ୍ତାନ ଉପରେ ଆମେରିକାର ବିଶ୍ବାସ କମିଛି । ତେଣୁ ଭାରତ ଓ ପାକିସ୍ତାନରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିବା ବେଳେ ନିଜକୁ ଦୂରେଇ ରଖିଛି ଆମେରିକା ।
ପରମାଣୁ ଅସ୍ତ୍ର ଭୟ
ଭାରତ ଓ ପାକିସ୍ତାନ ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି। ଦୁଇ ଦେଶ ଭିତରେ ଯୁଦ୍ଧ ହେଲେ ପରମାଣୁ ଆକ୍ରମଣ ଭୟ ରହିଛି। ତେଣୁ ଅଶାନ୍ତି ନିଆଁରେ ଘିଅ ଢାଳିବାକୁ ଚାହୁଁନି ଆମେରିକା। ଆଉ ସେଥିପାଇଁ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ଓ ମୁଖପାତ୍ର ଟାମି ବ୍ରୁସ ମାପିଚୁପି ବୟାନ ଦେଇଛନ୍ତି । ଆତଙ୍କବାଦକୁ ବିରୋଧ କରିବା ସହ ସଂଯମତା ରକ୍ଷା କରିବାକୁ ଅପିଲ୍ କରିଛନ୍ତି । ତେବେ କୌଣସି ଦେଶକୁ ସିଧାସଳଖ ସମର୍ଥନ ନେଇ ମତ ରଖିନାହାନ୍ତି । ଅର୍ଥାତ ଯୁଦ୍ଧ ରୋକିବାକୁ ନେଇ ଅପିଲ୍ କରୁଛି ଆମେରିକା ତେବେ ମଧ୍ୟସ୍ଥତା କରି ନିଜେ ଏହାର ଅଂଶ ହେବାକୁ ଚାହୁଁନି । ଭାରତ ଓ ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ଏଣ୍ଟ୍ରିକୁ ବିରୋଧ କରିଆସିଛି ଭାରତ ।
ଦକ୍ଷିଣ ଏସିଆରେ ସ୍ଥିରତା ଚାହୁଁଛି ଆମେରିକା, ହେଲେ ଏଥିପାଇଁ ଉତ୍ତରଦାୟିତ୍ବ ନେବାକୁ ଚାହୁଁନି । କାରଣ ଏହି ଅଞ୍ଚଳରେ ଅନେକ ସମୟରେ ଆମେରିକାର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠିଛି । ତେଣୁ ଉତ୍ତେଜନା ଏଡାଇବା ସହ ସହଭାଗିତା ରକ୍ଷା ଉପରେ ଗୁରୁତ୍ବ ଦେଉଛି ଆମେରିକା । ଭାରତ ଓ ପାକିସ୍ତାନ ପ୍ରସଙ୍ଗରେ ଆମେରିକା ଏଣ୍ଟ୍ରି କଲେ ଚୀନ ବି ପଶିବାକୁ ଚାହିଁବ । ଫଳରେ ଯୁଦ୍ଧର ପରିସୀମା ବଢିବାର ଆଶଙ୍କା ରହିଛି । ତେଣୁ ସାଉଦି ଓ ଇରାନର କୁଟନୀତିଜ୍ଞମାନେ ଉତ୍ତେଜନା ହ୍ରାସ କରିବାକୁ ଉଦ୍ୟମ କରୁଥିବା ବେଳେ ଆମେରିକା ଏଥିରୁ ନିଜକୁ ଦୂରେଇ ରଖିଥିବା କୁହାଯାଉଛି ।
Comments are closed.