ଭୁବନେଶ୍ଵର: ଆଜି ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ଵାନକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପାକିସ୍ଥାନର ଆତଙ୍କବାଦକୁ ଦମନ କରିବା ପାଇଁ ବୀରତ୍ବ, ଅସୀମ ସାହସ, ଅମାପଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିବା ଭାରତୀୟ ଯବାନମାନଙ୍କର ସମ୍ମାନର୍ଥେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ଵର ରାମ ମନ୍ଦିର ଛକ ଠାରୁ ବାହାରି କଂଗ୍ରେସ ଭବନରେ ପହଞ୍ଚିଲା। ଏହି ଯାତ୍ରା ରାମ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଟିନ ଛକଠାରେ ସମାପନ ହୋଇଥିଲା । ସେଠାରେ ସେବାଦଳ ପକ୍ଷରୁ ଭାରତର ସ୍ଥଳ, ଜଳ ଓ ବାୟୁ ସେନାଙ୍କ ପ୍ରତି ସଲାମୀ କାର୍ଯ୍ୟକ୍ରମ ହୋଇଥିଲା । ତ୍ରିରଙ୍ଗା ଯାତ୍ରାରେ କଂଗ୍ରେସକର୍ମୀ ମାନେ ଜାତୀୟ ପତାକା ଧରି “ଜୟ ହିନ୍ଦ”, “ଜୟ ଯବାନ” ସ୍ଲୋଗାନ ଦେଇ ଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶାତ୍ମକ ବୋଧକ ସଂଗୀତ ଡାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇଥିଲା ।
ଏହି ଅବସରରେ ପିସିସି ସଭାପତି ଭକ୍ତ ଦାସ କହିଥିଲେ ଯେ ଭାରତର ବୀର ଯବାନମାନେ ଆତଙ୍କବାଦୀ ରାଷ୍ଟ୍ର ପାକିସ୍ଥାନକୁ ଯେଉଁ କଡ଼ା ଜବାବ ଦେଇଛନ୍ତି ସେଥିପାଇଁ କଂଗ୍ରେସ ଦଳ,ଏହାର ନେତୃବୃନ୍ଦ ଓ କର୍ମୀମାନେ ଗର୍ବିତ । ଆତଙ୍କବାଦକୁ ଦମନ କରିବାପାଇଁ ଦେଶର ସେନାବାହିନୀ ସୁସଜ୍ଜିତ ଓ କର୍ତ୍ତବ୍ୟରତ ରହିଛନ୍ତି । ଏହି ମହାନ ସଂଗ୍ରାମରେ ସମସ୍ତ ଭାରତୀୟ ଏକତ୍ରିତ ଏବଂ ଏକ ସ୍ବରରେ ଆତଙ୍କବାଦ ବିରୁଦ୍ଧରେ ଲଢ଼ୁଛନ୍ତି । ସେନାବାହିନୀ ପଛରେ ଆମେ ଅଟଳ ରହିଛୁ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଜନନାୟକ ରାହୁଲ ଗାନ୍ଧୀ ତଥା ଦେଶର ସମସ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଭାରତୀୟ ସେନାଙ୍କର ଅତୁଲ୍ୟ ଶକ୍ତି ପ୍ରଦର୍ଶନର ପ୍ରଶଂସା କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ଆମର ଯବାନମାନେ ଦେଶର ସମ୍ମାନ, ସ୍ବାଭିମାନ ଓ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଲଢ଼େଇ କରୁଛନ୍ତି । ସେମାନଙ୍କର ତ୍ୟାଗ, ରାଷ୍ଟ୍ରଭକ୍ତି ଓ ଦେଶବାସୀଙ୍କ ପାଇଁ ଅଙ୍ଗୀକାରର ପଟ୍ଟାନ୍ତର ନାହିଁ ।
ଏହି କାର୍ଯ୍ୟକ୍ରମରେ ଏଆଇସିସିର ସହ ପ୍ରଭାରୀ ରୋଜାଲିନ ତିର୍କୀ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ଶ୍ରୀକାନ୍ତ ଜେନା, ତାରା ପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟଙ୍କ ସମେତ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed.