ନୂଆଦିଲ୍ଲୀ: ପାକିସ୍ତାନ ଇତିହାସର ସବୁଠୁ ବଡ଼ ଖଳନାୟକ ସେନା ମୁଖ୍ୟ ଅସିମ ମୁନିର । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ପାଇଁ ମୁନିର ହିଁ ଦାୟୀ । ଏକଥା ପାକିସ୍ତାନର ଜନତା ବି ମାନୁଛନ୍ତି । ୧୯୭୧ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଅସହାୟ ହୋଇପଡିଛି । ଆଉ ଏହା ପଛରେ ଅସିମ ମୁନିରଙ୍କୁ କାରଣ କୁହାଯାଉଛି । ତାଙ୍କ ପାଇଁ ହିଁ ପାକିସ୍ତାନକୁ ଆଭ୍ୟନ୍ତରୀଣ ତଥା ବାହ୍ୟ ଚ୍ୟାଲେଞ୍ଜର ସାମନା କରିବାକୁ ପଡୁଛି । ବିବାଦୀୟ ବୟାନବାଜି, ଆତଙ୍କବାଦକୁ ପ୍ରୋତ୍ସାହନ ତଥା ଭୁଲ ରଣନୀତି ପାଇଁ ପାକିସ୍ତାନକୁ ବଡ଼ ସଂକଟରେ ପକାଇଛନ୍ତି ମୁନିର । ଆଉ ସେଥିପାଇଁ ତାଙ୍କୁ ଓସାମା ବିନ୍ ଲାଦେନ ସହ ତୁଳନା କରିଥିଲେ ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକଲ ରୁବିନ । କୁହାଯାଉଛି, ମୁନିରଙ୍କ ନେତୃତ୍ବ ଜାରି ରହିଲେ ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଉପୁଜିପାରେ?
ମୁନିରଙ୍କ ବୟାନ, ଆତଙ୍କୀଙ୍କୁ ଗ୍ରୀନ୍ ସିଗନାଲ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଅସିମ ମୁନିରଙ୍କ ହାତ ଥିବା ଅଭିଯୋଗ ହେଉଛି । କାରଣ ଭାରତ ବିରୋଧରେ ମୁନିର ବିଷ ଓଗାରିବା ପରେ ହିଁ ଏହି ନରସଂହାର ହୋଇଥିଲା । ନିଜ ବୟାନ ଦ୍ବାରା ଆତଙ୍କବାଦୀଙ୍କୁ ଏକପ୍ରକାର ଗ୍ରୀନ୍ ସିଗନାଲ ଦେଇଥିଲେ ମୁନିର । ଆଉ ପହଲଗାମର ଜବାବରେ ପାକିସ୍ତାନ ଓ ପିଓକେରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଏହାପରଠୁ ଦୁଇ ଦେଶ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଯଦି ଯୁଦ୍ଧ ହୁଏ, ତେବେ ପାକିସ୍ତାନ ଉଭୟ ସାମରିକ ଓ ଆର୍ଥିକ କ୍ଷତି ସହିବ । ପହଲଗାମ ଆକ୍ରମଣ ପାଇଁ ମୁନିରଙ୍କୁ ସମାଲୋଚନା କରିଛନ୍ତି ସାଉଦି ଆରବ ଓ ୟୁଏଇ ଭଳି ସହଯୋଗୀ ଦେଶ । ତାଙ୍କ ପାଇଁ ପାକିସ୍ତାନର କୁଟନୈତିକ ସ୍ଥିତି ଦୁର୍ବଳ ହୋଇଥିବା କୁହାଯାଉଛି ।
ପାକ୍ ଗଣତନ୍ତ୍ରର କରିଥିଲେ କଣ୍ଠରୋଧ !
ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପିଟିଆଇ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଅଭିଯୋଗ ବି ରହିଛି । ଇମ୍ରାନ୍ ଖାନ୍ ୨୦୨୩ରୁ ଜେଲରେ ରହିଛନ୍ତି, ତାଙ୍କ ନାଁରେ ୨ଶହରୁ ଅଧିକ ମାମଲା ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ଜାଲିଆତି କରି ପିଟିଆଇକୁ କ୍ଷମତାଠାରୁ ଦୂରରେ ରଖିଥିଲେ । ପିଟିଆଇ ନେତାଙ୍କ ଗିରଫଦାରୀ ତଥା ସେନା ଅଦାଲତରେ ମାମଲା ଚଲାଇବା ପଛରେ ବି ଅସିମ ମୁନିର ରହିଛନ୍ତି । ଏହାକୁ ନେଇ ପାକିସ୍ତାନରେ ଅଶାନ୍ତି ବଢିଥିବା ବେଳେ ସୋସିଆଲ୍ ମିଡିଆରେ ମୁନିର ଆଉଟ୍ ଟ୍ରେଣ୍ଡ କରିଥିଲା ।
ବଲୁଚିସ୍ତାନ ଓ ଗିଲଗିଟରେ ଅସନ୍ତୋଷ
ଅସିମ ମୁନିରଙ୍କ ବୟାନ ବଲୁଚିସ୍ତାନ ବିଦ୍ରୋହକୁ ଆହୁରି ଭଡକାଇଥିବା କୁହାଯାଉଛି । ଆଉ ସେଥିପାଇଁ ତାଙ୍କୁ ବଲୁଚ ନେତା ସର୍ଦ୍ଦାର ଅଖତର ମେଙ୍ଗଲ ୧୯୭୧ ଯୁଦ୍ଧର ଉଦାହରଣ ଦେଇ ଚେତାବନୀ ଦେଇଥିଲେ । ଗିଲଗିଟ ଓ ବଲୁଚିସ୍ତାନରେ ସାଧାରଣ ଲୋକ ସେନା ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ । ସେନା ବିରୋଧରେ ବଲୁଚ ବିଦ୍ରୋହୀ ହୁଙ୍କାର ଭରିଛନ୍ତି । ଭାରତ ସହ ଅଶାନ୍ତି ମଧ୍ୟରେ ସେନାକୁ ଟାର୍ଗେଟ୍ କରିଛନ୍ତି । ବିଦ୍ରୋହ ବଢିଲେ ବିଭାଜନର କାରଣ ହୋଇପାରେ ବୋଲି କୁହାଯାଉଛି । ଫଳରେ ପାକିସ୍ତାନର କ୍ଷତ୍ରିୟ ଅଖଣ୍ଡତା ବିପଦରେ ପଡିପାରେ ।
ମୁନିରଙ୍କ ନେତୃତ୍ବରେ ସେନା ଭିତରେ ବି ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଗତ ମାର୍ଚ୍ଚ ମାସରେ ଜୁନିଅର ଅଧିକାରୀ ତାଙ୍କ ବିରୋଧରେ ଖୋଲାଖୋଲି ଚିଠି ଲେଖି ମୁନିରଙ୍କ ଇସ୍ତଫା ଦାବି କରିଥିଲେ । ଏପରିକି ୭୨ଘଣ୍ଟା ମଧ୍ୟରେ ୧୪ଶହରୁ ଅଧିକ ପାକିସ୍ତାନୀ ଯବାନ ଇସ୍ତଫା ଦେଇଥିବା ନେଇ ବି ଚର୍ଚ୍ଚା ହୋଇଥିଲା । ମୁନିରଙ୍କ ଉପରେ ଅସନ୍ତୁଷ୍ଟ ସେନା ଅଧିକାରୀ ବିଦ୍ରୋହୀ କିମ୍ବା ଆତଙ୍କବାଦୀ ସଂଗଠନରେ ସାମିଲ ହେବାର ଆଶଙ୍କା ବି ରହିବ । ମୁନିରଙ୍କ ନାଁରେ ଦୁର୍ନୀତି ନେଇ ବି ଅଭିଯୋଗ ରହିଛି । କଳାଧନ ରିୟଲ ଇଷ୍ଟେଟ୍, ବ୍ୟାଙ୍କିଂ ପରି କ୍ଷେତ୍ରରେ ନିବେଶ କରିଥିବା କୁହାଯାଉଛି । ମୁନିରଙ୍କ ବ୍ୟକ୍ତିଗତ ସଂପତି ପ୍ରାୟ ୮୦ଲକ୍ଷ ଡଲାର ବୋଲି ଚର୍ଚ୍ଚା ହେଉଛି । କେବଳ ପାକିସ୍ତାନ ନୁହେଁ ଆମେରିକା ଓ ଇଂଲଣ୍ଡରେ ବି ମେଲିଛି ମୁନିରଙ୍କ ସାମ୍ରାଜ୍ୟ ।
Comments are closed.