Latest Odisha News

BREAKING NEWS

ଗରମରେ ରେକର୍ଡ କରୁଛି ଭୁବନେଶ୍ବର: ୧୫ ଯାଏଁ କଲବଲ କରିବ ତାତି

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ନିଆଁ ବର୍ଷା ହେଉଛି । ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଆଜିବ ବି ସମାନ ସ୍ଥିତି ଜାରି ରହିଛି । ତତଲା କଡେଇରେ ଭାଜି ହେଉଛି ରାଜ୍ୟ । ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ପାଲଟିଛି ରାଜ୍ୟର ଉତପ୍ତ ସହର ।

ଏହାପରେ ଭୁବନେଶ୍ବର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ବରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରର ଆଜିର ତାପମାତ୍ରା ଚଳିତବର୍ଷର ସର୍ବାଧିକ ତାପମାତ୍ରା । ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୦.୪ ଛୁଇଁଛି । ଗତକାଲି ଭୁବନେଶ୍ବର ତାପମାତ୍ରା ୪୦.୨ ପର୍ଯ୍ୟନ୍ତ ଯାଇଥିଲା । ସେହିପରି ହୀରାକୁଦରେ ୪୦.୪, ରାଉଲକଲାରେ ୪୦, ଚାନ୍ଦବାଲି ୩୯.୨, ବାଲେଶ୍ବରରେ ୩୮.୨ ଏବଂ ଝାରସୁଗୁଡାରେ ଦିନ ୨.୩୦ ସୁଦ୍ଧା ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।

ସେପଟେ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଆସନ୍ତା ୧୫ ତାରିଖ ଯାଏଁ ଏମିତି କଲବଲ କରିବ ତାତି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ବିଶେଷ କରି ଆସନ୍ତା ୧୩ ଏବଂ ୧୪ ତାରିଖ ପୂରା ଓଡିଶା ଜଳିବା ନେଇ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ମଧ୍ୟ ବୃଦ୍ଧି ପାଇବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.