Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୩୪: ସମଗ୍ର ସୃଷ୍ଟିର ଏକମାତ୍ର ଆଶ୍ରୟ ଦାତା ହେଉଛନ୍ତି ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସବୁଠାରୁ ଉତ୍ତମ ଲକ୍ଷଣ ଅବା ସର୍ବସାରଯୁକ୍ତ ଲକ୍ଷଣ ହେଉଛି ଦଶମ ଲକ୍ଷଣ।
ଆଶ୍ରୟ:- ଆଶ୍ରୟର ଆକ୍ଷରିକ ଅର୍ଥ ଶରଣ ସ୍ଥାନ, ଯେଉଁ ଯାଗାରେ ରହିଲେ ଏ ମାୟା ଗ୍ରସ୍ତ ଜୀବ ପରମ ସତ୍ୟର ଉପଲବ୍ଧି କରେ। ତେବେ ସେ ପରମ ସତ୍ୟ କଣ? ତାହା ହେଉଛି ସମଗ୍ର ସୃଷ୍ଟିର ଏକମାତ୍ର ଆଶ୍ରୟ ଦାତା ହେଉଛନ୍ତି ପରଂବ୍ରହ୍ମ। କାରଣ ପ୍ରତ୍ୟେକ ଜୀବ ସୃଷ୍ଟି ଆରମ୍ଭରେ ତାଙ୍କ ଠାରୁ ସଂଜାତ ହୁଅନ୍ତି, ଓ ସୃଷ୍ଟିର ଅନ୍ତ (ପ୍ରଳୟ )କାଳରେ ତାଙ୍କଠାରେ ହିଁ ବିଲୟ ହୁଅନ୍ତି ବା ଆଶ୍ରୟ ନିଅନ୍ତି।

ଏହା ସିନା ଯୁଗ ଆରମ୍ଭ ଓ ଶେଷର ସ୍ଥିତି ତେବେ ଯୁଗ ମଝିରେ ଆଶ୍ରୟର ସ୍ଥିତି କଣ? ଯୁଗ ଗତିଶୀଳ ଥିବା ସମୟରେ ମଧ୍ୟ ଜୀବ ଆଶ୍ରୟରେ ରହିଥାଏ ତାହା ଚରଣାଶ୍ରୟ ଅବା ନାମାଶ୍ରୟ ଯାହାବି ହେଉ କିନ୍ତୁ ଭଗବତ ଆଶ୍ରୟ ବିନା ଜୀବର ଉଦ୍ଧାର ଅସମ୍ଭବ। ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ ଜୀବନକୁ ଭଗବାନଙ୍କ ଶରଣରେ ରଖିବା ହେଲା ଚରଣାଶ୍ରୟ ଓ ସର୍ବଦା ପ୍ରଭୁଙ୍କର ନାମ ତୁଣ୍ଡରେ ଧରି ଭଗବାନଙ୍କ ଶରଣ ନେବା ହେଉଛି ନାମାଶ୍ରୟ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-33-moksha-is-the-greatest-human-achievement/
ଏହା ଅତ୍ୟନ୍ତ ସହଜ ଓ ସରଳ ଉପାୟ ଭଗବତ ପ୍ରାପ୍ତିର। ତେଣୁ ଶ୍ରୀମଦ ଭାଗବତଙ୍କ ନଅ ଗୋଟି ଲକ୍ଷଣ ଜାଣିବା ପରେ ଚରମ ମୁକ୍ତିର ଲକ୍ଷଣ ଆଶ୍ରୟକୁ ଆମେ ଅଧିକ ଧ୍ୟ୍ୟନ ସହକାରେ ମନନ ଓ ଚିନ୍ତନ କରିବା ଆବଶ୍ୟକ। ଶ୍ରୀଲ କୃଷ୍ଣଦାସଙ୍କ ଭାବାର୍ଥ ଦୀପିକାରେ କହିଲେ
“ଦଶମେ ଦଶମଂ ଲକ୍ଷ୍ୟମାଶ୍ରିତାଶ୍ରୟ
ବିଗ୍ରହମ, ଶ୍ରୀକୃଷ୍ଣlଖ୍ୟଂ ପରଂଧାମ
ଜଗଦ୍ଧାମ ନମାମିତତ” ଅର୍ଥାତ ଯାହାଙ୍କ ଶ୍ରୀବିଗ୍ରହ ସର୍ବଜୀବଙ୍କ ଏକମାତ୍ର ଆଶ୍ରୟ ସେହି ପରମପୁରୁଷ ଶ୍ରୀକୃଷ୍ଣଙ୍କ ଲୀଳା ଆଧାରିତ ଶ୍ରୀମଦ ଭାଗବତଙ୍କ ଦଶମ ଲକ୍ଷଣଙ୍କୁ ମୁଁ ନମସ୍କାର କରୁଛି।

ଶ୍ରୀମଦ ଭଗବତ ଗୀତା ମଧ୍ୟ ଅନୁରୂପ ଉପଦେଶ ପ୍ରଦାନ କରିଛନ୍ତି ଯଥା “ତମେବ ଶରଣଂ ଗଛ ସର୍ବଭାବେନ ଭାରତ
ତତ ପ୍ରସାଦାତପ୍ତରାଂ ଶାନ୍ତିଂ ସ୍ଥାନଂ
ପ୍ରାପ୍ୟସି ଶାଶ୍ୱତମ୍ “, ଶ୍ରୀକୃଷ୍ଣଙ୍କ ଏହା ଅର୍ଜୁନଙ୍କୁ ଏହା ଉପଦେଶ ଛଳରେ କହିଥିଲେ “ହେ ଅର୍ଜୁନ ଜୀବନର ଚରମଲକ୍ଷ୍ୟ ଓ ପରମ ଶାନ୍ତି ପ୍ରାପ୍ତି ପାଇଁ ଭଗବାନଙ୍କ ଶ୍ରୀଚରଣରେ ଆଶ୍ରୟ ନେବା ଏକାନ୍ତ ଆବଶ୍ୟକ। ଶ୍ରୀଜଗନ୍ନାଥ ଦାସ ଅତ୍ୟନ୍ତ ସରଳରେ ବୁଝାଇ ଦେଲେ ଶ୍ରୀ ଭାଗବତରେ
ଶରଣ ପଶ ମୋର ପାଦେ।
ନ ଡର ବିଷୟା ବିଷାଦେ।
ଯେ ମୋର ଶରଣ ଚିନ୍ତଇ।
ସଂସାରେ ତାର ଭୟ ନାହିଁ।।
ଏହା ଶ୍ରୀକୃଷ୍ଣଙ୍କ ବାଣୀ ଭଗବତ ଗୀତାରେ ଅର୍ଜୁନଙ୍କ ପାଇଁ ଓ ଶ୍ରୀମଦ ଭାଗବତରେ ଭକ୍ତ ଉଦ୍ଧବଙ୍କ ପାଇଁ ଓ କଳି ଯୁଗରେ ସମସ୍ତ ଶରଣାଗତ
ଭକ୍ତଙ୍କ ପାଇଁ। ଆସନ୍ତୁ ତେବେ ସେହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତଙ୍କ ଶରଣ ନେବା ବା ଆଶ୍ରୟରେ ରହିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.