ଶ୍ରୀନଗର/କୁପୱାଡ଼ା: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସମ୍ପ୍ରତି ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ଗୋଳାବର୍ଷଣ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ କ୍ଷତିଗ୍ରସ୍ତ ଅଞ୍ଚଳର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ତଙ୍ଗଧାର ଅଞ୍ଚଳ ମଧ୍ୟ ପହଞ୍ଚିଥିଲେ, ଯାହା ପାକିସ୍ତାନୀ ଗୋଳାବର୍ଷଣରେ ଅଧିକ ପ୍ରଭାବିତ ହୋଇଥିଲା। ଗଣମାଧ୍ୟମକୁ କହିଛନ୍ତି, “ସୌଭାଗ୍ୟବଶତଃ କାହାର ଜୀବନହାନି ହୋଇନାହିଁ, କିନ୍ତୁ ସମ୍ପତ୍ତିର ବହୁତ କ୍ଷତି ହୋଇଛି। କ୍ଷତିର ମୂଲ୍ୟାଙ୍କନ କରାଯିବ ଏବଂ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦିଆଯିବ।”
ବଙ୍କର ନିର୍ମାଣ ଓ ପୁନର୍ବାସ ପ୍ରକ୍ରିୟା
ଉମର ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ଏହି ଅଞ୍ଚଳରେ ନିର୍ମିତ ବଙ୍କରଗୁଡ଼ିକ ଦୀର୍ଘ ଦିନ ଧରି ବ୍ୟବହାର ହୋଇନାହିଁ ଏବଂ ସାମ୍ପ୍ରତିକ ବର୍ଷଗୁଡ଼ିକରେ କୌଣସି ନୂଆ ବଙ୍କର ନିର୍ମାଣ କରାଯାଇନାହିଁ। ସେ କହିଛନ୍ତି, “ଆମେ ଏକ-ଦୁଇ ଦିନ ମଧ୍ୟରେ କ୍ଷତିର ମୂଲ୍ୟାଙ୍କନ ସମ୍ପୂର୍ଣ୍ଣ କରିଦେବୁ ଏବଂ ତା’ ପରେ ଥଇଥାନ ପ୍ରକ୍ରିୟା ଆରମ୍ଭ ହେବ।” ସୀମାନ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ବ୍ୟକ୍ତିଗତ ଘରୋଇ ବଙ୍କର ନିର୍ମାଣ କରିବା ଉପରେ ମଧ୍ୟ ସରକାର ବିଚାର କରିବ ବୋଲି ସେ ସୂଚନା ଦେଇଛନ୍ତି।
‘ଅସ୍ତ୍ରବିରତି ବଜାୟ ରହୁ ଓ ସୀମାରେ ଶାନ୍ତି ଫେରୁ’
ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ, ଉପଜିଲ୍ଲାପାଳମାନେ (ଡେପୁଟି କମିସନର) କ୍ଷତି ମୂଲ୍ୟାଙ୍କନ ଏବଂ କ୍ଷତିପୂରଣ ପ୍ରଦାନରେ ସହାୟତା କରୁଛନ୍ତି। ସେ କହିଛନ୍ତି, “ଲୋକମାନେ ପରାମର୍ଶ ଦେଇଛନ୍ତି ଯେ ସାମୁଦାୟିକ ବଙ୍କର ବଦଳରେ ବ୍ୟକ୍ତିଗତ ବଙ୍କର ନିର୍ମାଣ କରାଯାଉ। ଏ ସମ୍ପର୍କରେ ସରକାର ଏକ ଯୋଜନା ପ୍ରସ୍ତୁତ କରିବେ ଏବଂ କେନ୍ଦ୍ର ସରକାର ସହ ମଧ୍ୟ ଆଲୋଚନା କରାଯିବ।” ସେ ଆହୁରି କହିଛନ୍ତି, “ଆମେ ସମସ୍ତେ ଚାହୁଁଛୁ ଯେ ଅସ୍ତ୍ରବିରତି ବଜାୟ ରହୁ ଏବଂ ସୀମାରେ ଶାନ୍ତି ଫେରିଆସୁ।”
କୁପୱାଡ଼ାରେ ଆହତଙ୍କୁ ଭେଟିଲେ ସିଏମ୍
ମଙ୍ଗଳବାର ଉମର ଅବଦୁଲ୍ଲା କୁପୱାଡ଼ାର ଉପଜିଲ୍ଲା ହସ୍ପିଟାଲ ପରିଦର୍ଶନ କରିଥିଲେ। ସେଠାରେ ସେ ପାକିସ୍ତାନୀ ଗୋଳାବର୍ଷଣରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହୋଇଥିଲେ। ଅବଦୁଲ୍ଲା କହିଛନ୍ତି ଯେ, ସିଜଫାୟାର ପୂର୍ବରୁ ପାକିସ୍ତାନ ପକ୍ଷରୁ ଚାଲିଥିବା ଗୋଳାବର୍ଷଣ ଯୋଗୁଁ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଅନେକ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆହୁରି କହିଛନ୍ତି, “ଏହି ଆକ୍ରମଣରେ କାହାର ମୃତ୍ୟୁ ହୋଇନାହିଁ।”
ଘରକୁ ଫେରିବା ପାଇଁ ଲୋକଙ୍କୁ ଅପିଲ କଲେ ସିଏମ୍
ଏହା ପୂର୍ବରୁ ଗତକାଲି ସିଏମ୍ ଅବଦୁଲ୍ଲା କହିଥିଲେ ଯେ, ପାକିସ୍ତାନୀ ଗୋଳାବର୍ଷଣ ଯୋଗୁ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ ଲୋକମାନେ ନିଜ ଘର ଛାଡ଼ି ଚାଲିଯାଇଥିଲେ, ସେମାନେ ଏବେ ଘରକୁ ଫେରିପାରିବେ କାରଣ ଉଭୟ ଦେଶ ମଧ୍ୟରେ ଏକ ସାମରିକ ସହମତି ହୋଇଛି। ସେ କହିଛନ୍ତି, “ସୀମାନ୍ତ ଅଞ୍ଚଳର ବାସିନ୍ଦାମାନେ ଏବେ ନିଜ ଘରକୁ ଫେରିବା ପାଇଁ ଚେଷ୍ଟା କରିବା ଉଚିତ। ପୁଞ୍ଛ ସହରର ୮୦ରୁ ୯୦ ପ୍ରତିଶତ ଅଂଶ ଖାଲି ହୋଇଯାଇଛି। ଗୋଳାବର୍ଷଣ ସମୟରେ ସେମାନେ ନିଜ ଘର ଛାଡ଼ି ନିରାପଦ ସ୍ଥାନକୁ ଚାଲିଯାଇଥିଲେ। ଏବେ ଗୋଳାବର୍ଷଣ ବନ୍ଦ ହୋଇଥିବାରୁ ସେମାନେ ନିଜ ଘରକୁ ଫେରିପାରିବେ।”
Comments are closed.