Latest Odisha News

BREAKING NEWS

କଶ୍ମୀର ପ୍ରସଙ୍ଗରେ ଲାଡେନ ଓ ମୁନୀରଙ୍କ ବୟାନ ଗୋଟିଏ… ଜାଣନ୍ତୁ ପୂରା ଗଣିତ

ଶ୍ରୀନଗର: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ନରସଂହାର ମାନବତା ପାଇଁ ଏକ ଲଜ୍ଜାଜନକ ଦିନ ଥିଲା। ବୈସରନ ଘାଟିରେ ଆତଙ୍କୀମାନେ ଧର୍ମ ଆଧାରରେ ୨୬ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା କଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ଥିଲେ। ଏହି ପରିକଳ୍ପିତ ନରସଂହାର ଭାରତକୁ ଅପରେସନ ସିନ୍ଦୂର ପାଇଁ ସ୍ଥିର କରିଥିଲା । ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ହତ୍ୟାକାଣ୍ଡ ପଛରେ ଥିବା ମାନସିକତା କେବଳ ଆତଙ୍କବାଦ ନୁହେଁ। ଏହା ଦଶନ୍ଧି ଧରି ଚାଲିଥିବା ସାମ୍ପ୍ରଦାୟିକ ବିଷର କାହାଣୀ। ଏହାର ମୂଳ ପାକିସ୍ତାନର ସରକାର, ସେନା ଓ ଧାର୍ମିକ କଟ୍ଟରପନ୍ଥୀଙ୍କ ସହ ଜଡ଼ିତ।

ଭାରତ ଏହି ଆକ୍ରମଣର ଜବାବ ଶତ୍ରୁର ଭାଷାରେ ଦେଇଛି। ୨୦୨୫ ମେ’ରେ ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଭିତରେ ୯ଟି ଆତଙ୍କୀ ଅଡ୍ଡା ଧ୍ୱଂସ କରିଛି। ପାକିସ୍ତାନ ପ୍ରତିଆକ୍ରମଣ କରି ଭାରତୀୟ ସୈନିକ ଅଡ୍ଡାକୁ ନିଶାନା କରିବାକୁ ଚେଷ୍ଟା କରିଛି। କିନ୍ତୁ ତା’ର ସଫଳତା ମିଳିଲା ନାହିଁ। ଭାରତୀୟ ବାୟୁସେନା ଆହୁରି କଡ଼ା ପଦକ୍ଷେପ ନେଇଛି। ୧୧ଟି ପାକିସ୍ତାନୀ ଏୟାରବେସ୍‌କୁ ସମ୍ପୂର୍ଣ୍ଣ ଧ୍ୱଂସ କରାଛି।

ଏହି କଡ଼ା ଜବାବ ପରେ ପାକିସ୍ତାନ ସରକାର ଓ ସେନା ହାର ମାନିଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ତୁରନ୍ତ ସିଜଫାୟାର ପାଇଁ ଅନୁରୋଧ କରିଥିଲେ। ଭାରତ ନିଜ ସର୍ତ୍ତରେ ଏହାକୁ ଗ୍ରହଣ କରିଛି।

ଏହି ଘଟଣାର ପୃଷ୍ଠଭୂମିରେ ଜେନେରାଲ ଆସିମ ମୁନିରଙ୍କ ଏକ ବୟାନ ଗୁରୁତ୍ୱପୂର୍ଣ୍ଣ। ୧୩-୧୬ ଏପ୍ରିଲରେ ଇସଲାମାବାଦରେ ଏକ ସମ୍ମିଳନୀରେ ମୁନିର ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଛି। ସେ କହିଥିଲେ, “ଆମେ ହିନ୍ଦୁଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। ଆମ ଧର୍ମ, ସଂସ୍କୃତି ଓ ଲକ୍ଷ୍ୟ ଅଲଗା।” ଏହି ବିଷାକ୍ତ ବୟାନ ବୈସରନ ନରସଂହାରକୁ ବୈଚାରିକ ସମର୍ଥନ ଦେଇଥିଲା। ଏହା ଓସାମା ବିନ୍‌ ଲାଡେନଙ୍କ ୧୯୯୯ର ଭାରତ ଓ ଆମେରିକା ବିରୋଧୀ ଆତଙ୍କୀ ଘୋଷଣା ସହ ମେଳ ଖାଉଛି।

ଇତିହାସ କହେ, ୧୯୯୯ର କାରଗିଲ ଯୁଦ୍ଧରେ ଅଲ-କାଏଦା ଆତଙ୍କୀମାନେ ପାକିସ୍ତାନ ସେନା ସହ ମିଶି ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ। ଭାରତୀୟ ଗୁଇନ୍ଦା ସଂସ୍ଥା ଲାଡେନ ଓ ପାକିସ୍ତାନର ଆଇଏସଆଇ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ପୂର୍ବରୁ ଜାଣିଥିଲା। ଏବେ ପୁଣି ସେହି ମାନସିକତା ଅନୁସାରେ ଭାରତ ଉପରେ ଆକ୍ରମଣ ହୋଇଛି।

ଆଶ୍ଚର୍ଯ୍ୟଜନକ ତଥ୍ୟ ହେଲା, ପାକିସ୍ତାନ ସେନାର ମୁଖପାତ୍ର ଡିଜି-ଆଇଏସପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ ଜଣେ ଆତଙ୍କୀ ସହ ଜଡ଼ିତ। ତାଙ୍କ ବାପା ମହମୁଦ ସୁଲତାନ ବଶୀରୁଦ୍ଦୀନଙ୍କୁ ୨୦୦୧ରେ ଜାତିସଂଘ ଆତଙ୍କୀ ତାଲିକାରେ ରଖିଥିଲା। ସେ ଓସାମା ବିନ୍‌ ଲାଡେନକୁ ପରମାଣୁ ଅସ୍ତ୍ର ସୂଚନା ଦେଇଥିବା ଅଭିଯୋଗ ରହିଛି। ଏହା ପାକିସ୍ତାନ ସେନା ଓ ଆତଙ୍କୀ ମଧ୍ୟରେ ଥିବା ସମ୍ପର୍କକୁ ଉଜାଗର କରିଛି। ଏହା ଦେଖାଉଛି କିପରି ଏକ ସଂକୀର୍ଣ୍ଣ ବିଚାରଧାରା ପିଢ଼ି ପରେ ପିଢ଼ି ଆଗେଇ ଚାଲିଛି।

ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତ ଆତଙ୍କବାଦ ବିରୋଧରେ ନିଜର ନିଷ୍ପତ୍ତି ଜଣାଇଛି। ପାକିସ୍ତାନର ସାମ୍ପ୍ରଦାୟିକ ବିଷ ଓ ଆତଙ୍କୀ ସମର୍ଥନକୁ ଭାରତ କୌଣସି ମୂଲ୍ୟରେ ବରଦାସ୍ତ କରିବ ନାହିଁ। ଏହି ଘଟଣା ବିଶ୍ୱକୁ ଦେଖାଇଛି ଯେ ଆତଙ୍କବାଦର ଚେର କେଉଁଠି।

Comments are closed.