ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ। ପାକିସ୍ତାନର ବିଭିନ୍ନ ଆତଙ୍କୀ ଠିକଣା ଉପରେ ମିସାଇଲ ମାଡ଼ କରି ଛାରଖାର କରିଥିଲା ଭାରତୀୟ ସେନା। ଆଉ ଏହାର ଜବାବରେ ମେ ୭ ଓ ୮ ତାରିଖ ରାତିରେ ପାକିସ୍ତାନ ଭାରତର ଅନେକ ସହର ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା। ଅମୃତସରର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପାକିସ୍ତାନର ଟାର୍ଗେଟରେ ଥିଲା, କିନ୍ତୁ ଭାରତୀୟ ସେନା ଏହାକୁ ବିଫଳ କରିଥିଲା । ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି।
ଏଏନଆଇର ଏକ ରିପୋର୍ଟ ଅନୁଯାୟୀ, ମେଜର ଜେନେରାଲ କାର୍ତିକ ସି ସେଷାଦ୍ରୀ ପାକିସ୍ତାନର ଆକ୍ରମଣ ଉଦ୍ୟମର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଉପରେ ଡ୍ରୋନ୍ ମାଧ୍ୟମରେ ହମଲା କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ପାକିସ୍ତାନର ସମସ୍ତ ହମଲାକୁ ବିଫଳ କରି ଦେଇଥିଲା। ପାକିସ୍ତାନ କେବଳ ଧାର୍ମିକ ସ୍ଥାନକୁ ନୁହେଁ, ସାଧାରଣ ନାଗରିକମାନଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା।
ପୂର୍ବରୁ ପାହାଲଗାମ ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଭାରତ ୬-୭ ମେ’ ରାତିରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ୍ ଅଧୀନରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଠିକଣାକୁ ନିଶାନା କରାଯାଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଏହାର ଜବାବରେ ପାକିସ୍ତାନ ତିନି ଦିନ ଧରି ଡ୍ରୋନ୍ ଓ ମିସାଇଲ୍ ମାଧ୍ୟମରେ ହମଲା ଜାରି ରଖିଥିଲା। ଭାରତୀୟ ସେନା ଏହାର ମୁଁହତୋଡ଼ ଜବାବ ଦେଇ ପାକିସ୍ତାନର ୧୧ଟି ଏୟାରବେସକି ଧ୍ୱଂସ କରିଦେଇଥିଲା।
Comments are closed.