ଗଂଜାମରେ ବନ୍ୟାସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ପଚାରି ବୁଝିଲେ ନବୀନ
ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ ଜିଲ୍ଲା ବିଜେଡି କର୍ମୀଙ୍କୁ ପରାମର୍ଶ
ଭୁବନେଶ୍ୱର: ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଆଜି ଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଳାର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ, ଜିଲ୍ଲାପାଳ ବିରୋଧୀଦଳ ନେତାଙ୍କୁ ଅବଗତ କରିଥିଲେ। ଅର୍ଣ୍ଣବ ବାତ୍ୟା ଜନିତ ଏହି ବନ୍ୟା ଯୋଗୁଁ ଗଞ୍ଜାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ନବୀନ ଦୁଃଖ ପ୍ରକାଶ କରିବା ସହ ବିପନ୍ନ ଲୋକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ରିଲିଫ ଓ ଅନ୍ୟ ସହାୟତା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , ବିରୋଧୀ ଦଳ ର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ଗଞ୍ଜାମ ପଠାଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଭୃଗୁ ବକ୍ସି ପାତ୍ର , ଚିନ୍ମୟ ସାହୁ , ରଂଜିତା ସାହୁ ଓ ସଂଘମିତ୍ରା ଦଳେଇ ରହିଛନ୍ତି। ଏହି ପ୍ରତିନିଧି ଦଳ ଆଜି ଓ ଆସନ୍ତାକାଲି ଦୁଇ ଦିନ ବିପନ୍ନ ଲୋକଙ୍କୁ ଭେଟିଵା ସହ କ୍ଷୟକ୍ଷତି ଆକଳନ କରିବ । ରିଲିଫ ଓ ଉଦ୍ଧାର କାର୍ୟ୍ୟ ସମ୍ପର୍କରେ ଜଊଉ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବ। ପରେ କମିଟି ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାର ରିପୋର୍ଟ ପ୍ରଦାନ କରିବ। ସେହିପରି ଲୋକଙ୍କ ଏହି ଦୁଃଖ ସମୟରେ ଲୋକଙ୍କ ସହ ରହିବା ଓ ସେମାନଙ୍କ ସେବା କରିବା ପାଇଁ ନବୀନ ବିଜେଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
