Latest Odisha News

BREAKING NEWS

ଅକଲାଣ୍ଡ ଟି୨୦: ନ୍ୟୁଜିଲାଣ୍ଡ ନିକଟରୁ ଭାରତର ଶୋଚନୀୟ ପରାଜୟ

ଅକ୍‌ଲ୍ୟାଣ୍ଡ:  ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ଆଗୁଆ ବୃଦ୍ଧି ହାସଲ କରିସାରିଥିବା ଭାରତୀୟ ଦଳକୁ ଅକ୍‌ଲ୍ୟାଣ୍ଡ ଟି୨୦ ମ୍ୟାଚ୍‌ରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଗ୍ଲେନ୍ ଫିଲିପ୍ସ ଓ ମାଇକେଲ୍ ବ୍ରେସୱେଲଙ୍କ ଧୁଆଁଧାର ବ୍ୟାଟିଂ ପରେ ଜାକବ ଡଫିଙ୍କ ମାରାତ୍ମକ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ଏହି ସିରିଜ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି । ଭାରତ ଏହି ମ୍ୟାଚ୍‌କୁ ୮୭ ରନ୍‌ରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୫୯ ରନ୍‌ର ପାହାଡ଼ସଦୃଶ ସ୍କୋର ଛିଡ଼ା କରିଥିଲା ।  ଗ୍ଲେନ୍ ଫିଲିପ୍ସ ମାତ୍ର ୪୯ ଟି ବଲ୍‌ରୁ ୧୦ ଟି ଛକା ଓ ୬ ଟି ଚୌକା ସହାୟତାରେ ୧୦୭ ରନ୍‌ର ବିସ୍ଫୋରକ ଶତକୀୟ ପାରି ଖେଳିଥିଲେ । ମାଇକେଲ୍ ବ୍ରେସୱେଲ ୨୫ ଟି ବଲ୍‌ରୁ ୬ ଟି ଛକା ଓ ୪ ଟି ଚୌକା ସହ ୬୫ ରନ୍ ସଂଗ୍ରହ କରିଥିଲେ । ଦୁହେଁ ମିଶି ମାତ୍ର ୪୦ ଟି ବଲ୍‌ରେ ୧୧୫ ରନ୍‌ର ଭାଗୀଦାରୀ କରିଥିଲେ ।

ଭାରତୀୟ ବୋଲରମାନେ ପ୍ରଚୁର ରନ୍ ବ୍ୟୟ କରିଥିଲେ । ନୀତିଶ କୁମାର ରେଡ୍ଡୀ ୪ ଓଭରରେ ୫୪ ରନ୍, ଅକ୍ଷର ପଟେଲ ୩ ଓଭରରେ ୪୩ ରନ୍, ପ୍ରିନ୍ସ ଯାଦବ ୪୯ ରନ୍ ଏବଂ ମୟଙ୍କ ଯାଦବ ୪୮ ରନ୍ ଦେଇଥିଲେ । ୨୬୦ ରନ୍‌ର ବଡ଼ ଲକ୍ଷ୍ୟ ପଛରେ ଗୋଡ଼ାଉଥିବା ଭାରତୀୟ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭୨ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ସଞ୍ଜୁ ସାମସନ୍ (୪) ଓ ଇଶାନ କିଶନ (୦) ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ୨୭ ରନ୍ ଓ ଅଧିନାୟକ ଶ୍ରେୟସ ଆୟର ୨୨ ରନ୍ କରି କ୍ରିଜ୍ ଛାଡ଼ିଥିଲେ । ମିଡିଲ୍ ଅର୍ଡରରେ ନମନ ଧୀର (୨୮) ଓ ତିଲକ ବର୍ମା (୩୫) କିଛି ସଂଘର୍ଷ କରିଥିଲେ ମଧ୍ୟ ତାହା ପର‌୍ୟ୍ୟାପ୍ତ ନଥିଲା । ନ୍ୟୁଜିଲାଣ୍ଡ ବୋଲର ଜାକବ ଡଫି ୪ ଓଭରରେ ମାତ୍ର ୨୩ ରନ୍ ଦେଇ ୪ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାସଲ କରି ଭାରତୀୟ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

Leave A Reply

Your email address will not be published.