ନୂଆଦିଲ୍ଲୀ: ୟୁରୋପରେ ଟ୍ରମ୍ପଙ୍କ ଭ୍ରମ ଭାଙ୍ଗିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର । ଆମେରିକା ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲେ । କହିଲେ, ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ଭୂମିକା ନଥିଲା । ଅସ୍ତ୍ରବିରତି ନେଇ ପାକିସ୍ତାନର ହସ୍ତକ୍ଷେପ ପରେ, କଥା ଆଗକୁ ବଢିଥିଲା । ଯେଉଁଥିରେ ଆମେରିକା ସମେତ ଅନ୍ୟ ଦେଶ ମଧ୍ୟ ସାମିଲ୍ ଥିଲେ ବୋଲି ସ୍ପଷ୍ଟ ଭାବେ କହି ଟ୍ରମ୍ପଙ୍କ ଦାବିକୁ ଖାରଜ କରିଛନ୍ତି ମନ୍ତ୍ରୀ । ଯାହା ଆମେରିକା ଫମ୍ପା ଦାବିକୁ ଏକ ଶକ୍ତ ଚାପୁଡା ।
ତେବେ ନେଦରଲାଣ୍ଡର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜୟଶଙ୍କର କହିଛନ୍ତି, ଅପରେସନ ସିନ୍ଦୁର ଅଧୀନରେ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନୀ ସେନା ଯୁଦ୍ଧବିରତି ପାଇଁ ରାଜି ହୋଇଥିଲା। ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ସ୍ତରରେ ଯୁଦ୍ଧବିରତି ନିଷ୍ପତ୍ତି ନେଇଥିଲେ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ଭୂମିକା ନଥିଲା। ଆମେରିକା ନିଜ ଜାଗାରେ ଥିଲା । ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମୋ ସହ କଥା ହୋଇଥିଲେ। ସେ ପାକିସ୍ତାନ ସହ ମଧ୍ୟ କଥା ହୋଇଥିଲେ। ଆମେରିକା ଏକା ନଥିଲା, ଏଥିରେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ସମ୍ପର୍କରେ ଥିଲେ। ଯେତେବେଳେ ଦୁଇଟି ଦେଶ ମଧ୍ୟରେ ବିବାଦ ହୁଏ, ସ୍ୱାଭାବିକ ଭାବରେ ଅନ୍ୟ ଦେଶମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତି।
ସେ ଆହୁରି ବି ସ୍ପଷ୍ଟ କରିଥିଲେ ଯେ, ପାକିସ୍ତାନ ଯୁଦ୍ଧବିରତି ଉପରେ ସିଧାସଳଖ କଥା ହୋଇଥିଲା । ଏନେଇ ସେ ଆମେରିକା ସମେତ ଅନ୍ୟ ଦେଶ ମାନଙ୍କୁ ମଧ୍ୟ ଅବଗତ କରାଇଥିଲେ ।
ଏଥିସହିତ ପାକିସ୍ତାନୀ ସେନାର ଆଭିମୁଖ୍ୟକୁ ଭତ୍ସନା କରିଥିଲେ ଏସ ଜୟଶଙ୍କର । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଲକ୍ଷ୍ୟ ଧାର୍ମିକ ଉନ୍ମାଦ ସୃଷ୍ଟି କରିବା ପାଇଁ ଥିଲା। ପାକ୍ ସେନା ମୁଖ୍ୟ ମୁନିର ଜଣେ ଧାର୍ମିକ କଠୋର। ମୁନୀର ମଧ୍ୟ ତାଙ୍କର ଅନେକ ବୟାନ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ଜୟଶଙ୍କର ।
ତେବେ କହିରଖୁଛୁ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ନେଇ ଲଗାତାର ନିଜକୁ ଶ୍ରେୟ ଦେଇ ଆସୁଛନ୍ତି । ଏନେଇ ବାରମ୍ବାର ଅନେକ ସାକ୍ଷାତକାରରେ ମତ ରଖିଛନ୍ତି ଟ୍ରମ୍ପ । ଏହି ନିକଟରେ ମଧ୍ୟ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ତାଙ୍କର ଆଲୋଚନା ସମୟରେ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ। କହିଥିଲେ, ଯଦି ଆପଣ ଦେଖନ୍ତି ଆମେ ପାକିସ୍ତାନ ଏବଂ ଭାରତ ସହିତ କଣ କରିଛୁ, ତେବେ ଆମେ ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ କରିଛୁ। ମୁଁ ଭାବୁଛି ମୁଁ ଏହାକୁ ବ୍ୟବସାୟ ମାଧ୍ୟମରେ ସମାଧାନ କରିଛି। ଆମେ ଭାରତ ସହିତ ଏକ ବଡ଼ ଚୁକ୍ତି କରୁଛୁ। ଆମେ ପାକିସ୍ତାନ ସହିତ ଏକ ବଡ଼ ଚୁକ୍ତି କରୁଛୁ। ଆମେ ସେମାନଙ୍କ ସହ କଥା ହେଲୁ ଆଉ ଏହାକୁ ସମାଧାନ କଲୁ। ଏଥିସହିତ ପାକିସ୍ତାନରେ କିଛି ଚମତ୍କାର ଲୋକ ଏବଂ କିଛି ପ୍ରକୃତରେ ଭଲ ନେତା ଅଛନ୍ତି, ଆଉ ଭାରତ ମୋର ବନ୍ଧୁ ବୋଲି ମତ ରଖିଥିଲେ ଟ୍ରମ୍ପ ।
Comments are closed.