Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟଙ୍କ ଅଭିନବ ରାୟ; ୨ ମାସ ବ୍ୟାଙ୍କ ପରିସର ସଫା କରିବେ ଅଭିଯୁକ୍ତ

କଟକ: ବ୍ୟାଙ୍କ ଠକେଇ ମାମଲାରେ ଓଡ଼ିଶା ହାଇକୋର୍ଟ ଏକ ଅଭିନବ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତକୁ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ସମ୍ପୃକ୍ତ ବ୍ୟାଙ୍କରେ ପ୍ରତିଦିନ ସଫେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, କଟକ ଲିଙ୍କ ରୋଡରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ତିନୋଟି ଭିନ୍ନ ଆକାଉଣ୍ଟ ମାଧ୍ୟମରେ ୧.୦୫ କୋଟି ଟଙ୍କାର ଋଣ ନେଇଥିଲେ ଅଭିଯୁକ୍ତ ମନୋଜ୍ଞାନ ପଟ୍ଟନାୟକ । ଗୋଟିଏ ସଂପତ୍ତିକୁ ଜଣଙ୍କୁ ବିକ୍ରି କରିଥିଲେ । ପରବର୍ତ୍ତୀ ସମୟରେ ଏହି ସଂପତ୍ତି ଅନ୍ୟ ଏକ ବ୍ୟାଙ୍କରେ ବନ୍ଧକ ଦିଆଯାଇଥିବା ଜଣାପଡ଼ିଥିଲା । କ୍ରାଇମ ବ୍ରାଞ୍ଚ ଗତ ଫେବୃଆରୀ ୫ ତାରିଖରେ ଏହି ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ତେବେ ହାଇକୋର୍ଟ ସର୍ତ୍ତ ରଖିଛନ୍ତି ଯେ, ସକାଳ ୮ଟାରୁ ୧୦ଟା ଭିତରେ ଆବେଦନକାରୀ ବ୍ୟାଙ୍କ ପରିସର ସଫେଇ କାର୍ଯ୍ୟ କରିବେ । ଯଦି ସେ ଏହି ସର୍ତ୍ତ ପାଳନ କରିବାରେ ବିଫଳ ହୁଅନ୍ତି, ତାଙ୍କ ଜାମିନ ରଦ୍ଦ ହେବ । ଜାମିନରେ ଥିବାବେଳେ ଆବେଦନକାରୀ କୌଣସି ଆପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ । ସାକ୍ଷ୍ୟପ୍ରମାଣକୁ ପ୍ରଭାବିତ କରିବା ଭଳି ଆବେଦନକାରୀ କୌଣସି କାର୍ଯ୍ୟ କରିବେ ନାହିଁ । ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.