Latest Odisha News

BREAKING NEWS

ପଦ ଛାଡିବେ ୟୁନୁସ୍, ଚେତାବନୀ ଦେଲେ…

ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ ତାଙ୍କ ପଦରୁ ଇସ୍ତଫା ଦେବେ । ବାଂଲାଦେଶ ନିର୍ବାଚନ ନେଇ ସେନା ମୁଖ୍ୟଙ୍କ ଦାବି ପରେ, ଏବେ କାଳେ ୟୁନୁସ ପଦ ଛାଡିବେ ବୋଲି ଧମକ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ତାଙ୍କ ଇସ୍ତଫା ନେଇ ଖବର ସାମ୍ନାକୁ ଆସୁଛି । ଘରୋଇ ଏବଂ ବାହ୍ୟ ସମସ୍ୟାର ସମ୍ମୁଖୀନ ହୋଇ ୟୁନୁସ, ବର୍ତ୍ତମାନର ପରିସ୍ଥିତି ଏବଂ ବିରୋଧ ମଧ୍ୟରେ କାମ କରିପାରିବେ ନାହିଁ ବୋଲି ସିଧା ସିଧା କହିଦେଇଛନ୍ତି । ଏଥିସହିତ ଖବର ଏହା ବି ଶୁଣିବାକୁ ମିଳୁଛି କି, ମହମ୍ମଦ ୟୁନୁସ ଏବଂ ସେନା ମୁଖ୍ୟ ୱାକର-ଉଜ-ଜମାନଙ୍କ ମଧ୍ୟରେ ପରିସ୍ଥିତି କିଛି ଠିକ୍ ଚାଲିନାହିଁ । ତେଣୁ ସେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ଯାହାକୁ ନେଇ ଏବେ ବାଂଲାଦେଶରେ ପୁଣି ସ୍ଥିତି ବିଗିଡିଛି । ୟୁନୁସ୍ ତାଙ୍କ ପଦ ଛାଡିବାକୁ ଧମକ ଦେଇଥିବା ରିପୋର୍ଟ ମଧ୍ୟରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସମର୍ଥକମାନେ ଶନିବାର ଢାକାରେ ଏକ ପ୍ରତିବାଦ ରାଲି ଘୋଷଣା କରିଛନ୍ତି। ୟୁନୁସ୍ ସମର୍ଥକମାନେ ଢାକାର ଶାହବାଗରେ ‘ୟୁନୁସ୍ ପାଇଁ ମାର୍ଚ୍ଚ’ ନାମକ ଏକ ପ୍ରତିବାଦ ରାଲି ଘୋଷଣା କରିଛନ୍ତି ଏବଂ ରାଜଧାନୀ ସହରରେ ପୋଷ୍ଟର ଲଗାଇ, ଏଥିରେ ପ୍ରତିବାଦ ରାଲିରେ ଲୋକଙ୍କୁ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଛି। ପୋଷ୍ଟର ଅନୁଯାୟୀ, ୟୁନୁସଙ୍କ ସମର୍ଥକଙ୍କ ଦୁଇଟି ପ୍ରମୁଖ ଦାବି ରହିଛି, ଗୋଟିଏ ହେଲା ୟୁନୁସଙ୍କୁ ପାଞ୍ଚ ବର୍ଷ ପାଇଁ କ୍ଷମତାରେ ରଖ ଏବଂ ପ୍ରଥମେ ସଂସ୍କାର ଆଉ ପରେ ନିର୍ବାଚନ କର ବୋଲି ସେମାନେ ଦାବି କରିଛନ୍ତି ।

ତେବେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ନୂତନ ନିର୍ବାଚନ ପାଇଁ ଆହ୍ୱାନ ପରେ ୟୁନୁସ ଇସ୍ତଫା ଦେବାକୁ ଧମକ ଦେଇଥିବା ରିପୋର୍ଟ ପରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି। ଯେଉଁଥିରେ ବାଂଲାଦେଶ ସେନେ ମୁଖ୍ୟ ବୁଧବାର କହିଥିଲେ, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଜାତୀୟ ନିର୍ବାଚନ ହେବା ଉଚିତ, ଏହା ନିଶ୍ଚିତ କରି ଯେ ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବା ଏକ ନିର୍ବାଚିତ ସରକାରଙ୍କର ସ୍ୱତନ୍ତ୍ର ଅଧିକାର। ଆଉ ଯଦି ନିର୍ବାଚନ ହୁଏ , ତେବେ ବାଂଲାଦେଶର ବାସ୍ତବିକ ପ୍ରଧାନମନ୍ତ୍ରୀ ଭାବରେ ୟୁନୁସଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ସେନା ଏବଂ ପ୍ରଦର୍ଶନକାରୀଙ୍କ ଚାପ ବୃଦ୍ଧି ପାଇ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବା ପରେ ତାଙ୍କୁ ବାସ୍ତବିକ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଯାହାକୁ ନେଇ ଏବେ ସମର୍ଥକ ବିରୋଧ ପ୍ରଦର୍ଶନ କରିବା ପାଇଁ ଆଗେଇ ଆସିଛନ୍ତି । ଯଦି ୟୁନୁସ ତାଙକ ପଦରୁ ହଟନ୍ତି, ତାହେଲେ ପୁଣି ବାଂଲାଦେଶ ଉତ୍ତେହଜନା ବୃଦ୍ଧି ପାଇବ ।

ତେବେ କହିରଖୁଛୁ, ବାଂଲାଦେଶରେ ଛାତ୍ର ଆନ୍ଦୋଳନ ପରେ ଶେଖ ହାସିନାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଏହା ପରେ ସେ ଭାରତରେ ଆଶ୍ରୟ ନେଇଥିଲେ। ଛାତ୍ରମାନେ ୩୦ କୋଟା ସିଷ୍ଟମ ବିରୋଧରେ ପ୍ରତିବାଦ କରୁଥିଲେ, ଏହି ସଂରକ୍ଷଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଦିଆଯାଉଥିଲା। ଏହା ପରେ, ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା, ଯାହାର ନେତୃତ୍ୱ ଆମେରିକାରେ ରହୁଥିବା ମହମ୍ମଦ ୟୁନୁସ ନେଇଥିଲେ। ଆଉ ଏହାକୁ ସମର୍ଥନ କରିଥିଲେ ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନ ।

ହେଲେ ଏବେ ସେନା ଏବଂ ୟୁନୁସଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଯେଉଁଠି ୟୁନୁସ ଏହି ଡିସେମ୍ବର କିମ୍ବା ୨୦୨୬ ଜୁନରେ ବାଂଲାଦେଶ ନିର୍ବାଚନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, ସେଠି ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଅଧିକାରୀମାନଙ୍କୁ ସମ୍ବୋଧିତ କରି ସାଧାରଣ ନିର୍ବାଚନକୁ ଚଳିତ ବର୍ଷ ଡିସେମ୍ବର ପରେ ସ୍ଥଗିତ ରଖିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ସେନା ମୁଖ୍ୟ କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କର ସାମ୍ବିଧାନିକ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ। ରାଖାଇନ୍ କରିଡର ପ୍ରସଙ୍ଗରେ ମଧ୍ୟ, ସେନା ସ୍ପଷ୍ଟ କରିଛି ଯେ ଆମ ସମ୍ମତି ବିନା ଏହାକୁ ନିର୍ମାଣ କରିବା ସମ୍ପୂର୍ଣ୍ଣ ବେଆଇନ। ଯାହାକୁ ନେଇ ଏବେ ଉଭୟଙ୍କ ମଧ୍ୟରେ ନିର୍ବାଚନ ସହମତି ନେଇ ବିବାଦ ଦେଖାଦେଇଛି ।

ସେପଟେ, ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ ମଧ୍ୟ ୟୁନୁସଙ୍କ ଉପରେ ଚାପ ପକାଇ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ଦାବି କରିଛନ୍ତି। ଦଳ ଚେତାବନୀ ଦେଇଛି ଯେ ଯଦି ଶୀଘ୍ର ନିର୍ବାଚନ ନହୁଏ, ତେବେ ସେମାନେ ଏକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମର୍ଥନ କରିପାରିବେ ନାହିଁ। ଏହାକୁ ନେଇ ବିଏନପି ସଦସ୍ୟ ମିର୍ଜା ଫଖରୁଲ୍ ଇସଲାମ୍ ଆଲମଗିର, ବାଂଲାଦେଶର ଗଣତାନ୍ତ୍ରିକ ଭବିଷ୍ୟତ ଉପରେ ଏକ ନୂତନ କଳା ଛାୟା ଘୁରି ବୁଲୁଥିବା ନେଇ ଚେତାବନୀ ଦେଇଥିଲେ। ଆଉ ଆଗାମୀ ନିର୍ବାଚନକୁ ବିଳମ୍ବିତ କରିବା ଏବଂ ନାଗରିକମାନଙ୍କୁ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ହେଲେ ମୌଳବାଦୀ ସଂଗଠନଗୁଡ଼ିକ ଚାହୁଁନାହାଁନ୍ତି ଯେ ଦେଶରେ ୫ ବର୍ଷ ପୂର୍ବରୁ ନିର୍ବାଚନ ହେଉ । ଯାହାକୁ ନେଇ ଏବେ ବିଗିଡିଛି ବାଂଲାଦେଶ ରାଜନୀତି ।

Comments are closed.