ନୂଆଦିଲ୍ଲୀ: ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା । ୨୦୨୩ ଅକ୍ଟୋବରରୁ ଚଳିତ ବର୍ଷ ମେ ୨୦ତାରିଖ ମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୮ହଜାର ପାଲେଷ୍ଟାଇନ ପିଲାଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ରହିଛି ୮ଶହରୁ ଅଧିକ ପିଲା, ଯେଉଁମାନଙ୍କ ବୟସ ବର୍ଷକରୁ କମ୍ । ଗତ ୧୯ମାସ ମଧ୍ୟରେ ୨୭୪ଜଣ ପିଲା ଜନ୍ମ ନେଉ ନେଉ ପ୍ରାଣ ହରାଇଛନ୍ତି । କେବଳ ଗତ ଦୁଇ ମାସ ମଧ୍ୟରେ ୯୫୦ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲୀ ବିମାନ ଆକ୍ରମଣରୁ ବର୍ତ୍ତି ଯାଇଥିବା ପିଲାଙ୍କ ଜୀବନ ନେଉଛି ଭୋକ । ଗାଜାରେ ଭୟାବହ ସ୍ତରରେ ପହଞ୍ଚିଛି ଖାଦ୍ୟ ସଂକଟ ।
ଭୋକରେ ଆଉଟୁପାଉଟୁ ପିଲା
ଇସ୍ରାଏଲ୍ ଆକ୍ରମଣ ଦାଉରୁ ରକ୍ଷା ମିଳିଗଲେ କଲବଲ କରୁଛି ଭୋକ । ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ସୂଚନା ଅନୁସାରେ, ଇସ୍ରାଏଲୀ ଅଧିକାରୀ ୧୧ସପ୍ତାହରୁ ଅଧିକ ସମୟ ଧରି ମାନବୀୟ ସହାୟତା ଅବରୋଧ କରିଛନ୍ତି । ଫଳରେ ଗାଜାରେ ଖାଦ୍ୟ ସଂକଟ ଭୟାବହ ସ୍ତରରେ ପହଞ୍ଚିଛି । ୫୦ରୁ ଅଧିକ ପିଲା ଭୋକରେ ଜୀବନ ହରାଇଥିବା ବେଳେ ଅନେକଙ୍କ ସ୍ଥିତି ବିଗିଡିବାରେ ଲାଗିଛି । ଜାତିସଂଘର ମାନବୀୟ ପ୍ରସଙ୍ଗର ଉପସଚିବ ଦୁଇ ଦିନ ତଳେ ତତ୍କାଳ ହସ୍ତକ୍ଷେପ ନକଲେ ୪୮ଘଣ୍ଟା ମଧ୍ୟରେ ୧୪ହଜାରରୁ ଅଧିକ ଶିଶୁ ପ୍ରାଣ ହରାଇପାରନ୍ତି ବୋଲି ଚେତାବନୀ ଦେଇଥିଲେ ।
ଅଧିକାଂଶ ପିଲା କୁପୋଷଣର ଶିକାର
ମେ ୧୪ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ୬ରୁ ୨୩ମାସର ଶିଶୁଙ୍କ ମଧ୍ୟରୁ ୯୦ପ୍ରତିଶତ ତଥା ଗର୍ଭବତୀ ମହିଳାଙ୍କୁ ଆବଶ୍ୟକ ପୋଷଣ ମିଳିପାରୁନି । ପାଲେଷ୍ଟାଇନ୍ ନ୍ୟୁଟ୍ରିସନ୍ କ୍ଲଷ୍ଟର ତଥ୍ୟ ଅନୁସାରେ, ୨୦୨୫ରେ ଗାଜାରେ ୧୨ଲକ୍ଷରୁ ଅଧିକଙ୍କୁ ଜୀବନ ରକ୍ଷାକାରୀ ପୋଷଣ ତଥା କୁପୋଷଣ ରୋକିବାକୁ ସେବାର ଆବଶ୍ୟକତା ପଡିଛି । ଏମାନଙ୍କ ମଧ୍ୟରେ ପ୍ରାୟ ୮ଲକ୍ଷ ୫ବର୍ଷରୁ କମ୍ ବୟସର ପିଲା ଓ ୩ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ରହିଛନ୍ତି । ୬୦ହଜାରରୁ ଅଧିକ ୫ବର୍ଷରୁ କମ୍ ପିଲା ଅପପୃଷ୍ଟିର ଶିକାର ହୋଇଥିବା ବେଳେ ୩ଲକ୍ଷ ପିଲାଙ୍କୁ ସୁଷମ ଖାଦ୍ୟ ଓ ପୋଷଣର ଆବଶ୍ୟକତା ରହିଛି । ୧୬ହଜାରରୁ ଅଧିକ ଗର୍ଭବତୀ ମହିଳା ତୀବ୍ର ଅପପୃଷ୍ଟିର ଶିକାର ହୋଇଛନ୍ତି । ୨୦ହଜାର ମହିଳାଙ୍କୁ ଭୋକ ମେଣ୍ଟାଇବାକୁ ସହାୟତା ଜରୁରୀ ।
ଶିକ୍ଷା ଉପରେ ରୋକ୍
ମେ ୧୪ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ, ୧୩ହଜାରରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଓ ୬୬୩ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୨୨ହଜାର ଛାତ୍ର ଓ ୨ହଜାର ୮୨୫ ଶିକ୍ଷକ ଆହତ ହୋଇଛନ୍ତି । ୬ଲକ୍ଷରୁ ଅଧିକ ପିଲାଙ୍କ ପାଠପଢା ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କାରଣ ସେମାନେ ପଢିବା ପାଇଁ ଆବଶ୍ୟକ ସ୍ଥାନର ଅଭାବ ରହିଛି । ଗାଜାରେ ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ସହାୟତା ମଧ୍ୟ ତତ୍କାଳ ଆବଶ୍ୟକତା । ଲଗାତର ଆକ୍ରମଣ ଯୋଗୁଁ ୧୦ଲକ୍ଷରୁ ଅଧିକ ପିଲାଙ୍କୁ ମାନସିକ ସ୍ବାସ୍ଥ୍ୟ ସହାୟତା ଆବଶ୍ୟକ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ, ବୋମାମାଡ଼ ତଥା ନିଜ ପରିବାର ସଦସ୍ୟଙ୍କୁ ହରାଇ ଗାଜାରେ ଛୋଟ ପିଲା ଓ ବୟସ୍କ ଅବସାଦ ପରି ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୟୁନିସେଫର ଜାନୁଆରୀ ମାସ ତଥ୍ୟ ଅନୁସାରେ, ଗାଜାରେ ୧୩ହଜାର ୪୫୫ରୁ ଗୁରୁତର ହୋଇଛନ୍ତି । ଯୁଦ୍ଧର ଘନଘଟା ମଧ୍ୟରେ ଗାଜାରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଚିତ୍ର ।
Comments are closed.