ପୁରୀ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସୁଦୃଢ ହେବ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ବାଲିସାହି ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରୀ ଗୋବର୍ଦ୍ଧନ ପୀଠର ସୁରକ୍ଷା ଓ ସଂରକ୍ଷଣ, ସମସ୍ତ ପୂର୍ବାଚାର୍ଯ୍ୟ ମାନଙ୍କ ସମାଧୀ ସ୍ଥଳର ସୁରକ୍ଷା, ପୂଜ୍ୟ ଜଗଦଗୁରୁଙ୍କ ସୁରକ୍ଷା ବ୍ୟବସ୍ଥା, ମଠ ପରିସରରେ ଥିବା ଗୋବର୍ଦ୍ଧନ ଗୋଶାଳାର ବିକାଶ, ମହୋଦଧି ସନ୍ଧ୍ୟା ଆରତୀ ସ୍ଥଳର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା।
ସନାତନ ଧର୍ମର ସୁରକ୍ଷା ତଥା ଅଦୈତ ବେଦାନ୍ତର ପ୍ରଚାର ନିମନ୍ତେ କାର୍ଯ୍ୟ କରୁଥିବା ଗୋବର୍ଦ୍ଧନ ପୀଠର ଉନ୍ନତି ପାଇଁ ଶଙ୍କରାଚାର୍ଯ୍ୟ ପୀଠ ଟ୍ରଷ୍ଟ ବୋର୍ଡର ସଦସ୍ୟ ମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟ ସମ୍ବନ୍ଧରେ ସରକାରଙ୍କୁ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପୀଠର ଉନ୍ନତି ପାଇଁ ସବୁ ବିଭାଗ ତଥା ଜିଲ୍ଲା ପ୍ରଶାସନର ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପୂଜ୍ୟ ଜଗଦଗୁରୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମହୋଦଧି ସନ୍ଧ୍ୟା ଆଳତୀ ସ୍ଥଳକୁ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ବିକାଶ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ସମସ୍ତ କାର୍ଯ୍ୟକୁ ଗୁରୁତ୍ୱର ସହ ନେଇ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Comments are closed.