କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ୍ ଲୁଣର ଅଭାବ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁଁ ଶ୍ରୀଲଙ୍କାରେ ଲୁଣର ଉତ୍ପାଦନ ବନ୍ଦ ହୋଇଯାଇଥିବା ବେଳେ ପୂର୍ବରୁ ଉତ୍ପାଦିତ ଲୁଣ ମଧ୍ୟ ଧୋଇ ହୋଇଯାଇଛି। ଯାହାଫଳରେ ଶ୍ରୀଲଙ୍କା ଏହାର ଆବଶ୍ୟକତାର ମାତ୍ର ୨୩% ଲୁଣ ଉତ୍ପାଦନ କରିପାରୁଛି। ଫଳରେ ସେଠାରେ ବର୍ତ୍ତମାନ ଲୁଣର ଦର ଆକାଶଛୁଆଁ ହେବା ସହ କିଲୋ ପିଛା ୧୨୫ରୁ ୧୪୫ ଟଙ୍କାରେ ପହଞ୍ଚିଛି।
ମାର୍ଚ୍ଚ ୨୦୨୫ ଠାରୁ ଶ୍ରୀଲଙ୍କାରେ ଲଗାତାର ବର୍ଷା ଲାଗି ରହିଥିବାରୁ ସେଠାକାର ପ୍ରମୁଖ ଲୁଣ ଉତ୍ପାଦନ କ୍ଷେତ୍ର – ପୁଟ୍ଟାଲମ୍, ହାମ୍ବନଟୋଟା ଏବଂ ଏଲିଫ୍ୟାଣ୍ଟ ପାସ୍ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁ ପ୍ରାୟ ୧୫,୦୦୦ ମେଟ୍ରିକ୍ ଟନ୍ ଲୁଣ ନଷ୍ଟ ହୋଇଯାଇଛି। ତେବେ ୬୦% ଲୁଣ ଉତ୍ପାଦନ କରୁଥିବା ପୁଟ୍ଟାଲମ୍ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଏହିପରି ଘଡିସନ୍ଧି ମୂହୁର୍ତ୍ତରେ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇବା ସହ ପ୍ରାୟ ୩୦୫୦ ମେଟ୍ରିକ୍ ଟନ୍ ଲୁଣ ପଠାଇଛି। ଯେଉଁଥିରୁ ୨୮୦୦ ମେଟ୍ରିକ୍ ଟନ୍ ସରକାରୀ ଲୁଣ କମ୍ପାନୀରୁ ଏବଂ ୨୫୦ ମେଟ୍ରିକ୍ ଟନ୍ ଘରୋଇ କମ୍ପାନୀ ଗୁଡ଼ିକରୁ ପଠାଯାଇଛି। ଭାରତ ଏହା ପୂର୍ବରୁ ମଧ୍ୟ ୨୦୨୨ରେ ହୋଇଥିବା ଆର୍ଥିକ ସଙ୍କଟ, ଇନ୍ଧନ ଅଭାବ ଓ ଔଷଧର ଆବଶ୍ୟକତା ସମୟରେ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଥିଲା।
ତେବେ ଶ୍ରୀଲଙ୍କାକୁ ପ୍ରତିବର୍ଷ ୧,୮୦,୦୦୦ ମେଟ୍ରିକ୍ ଟନ୍ ଲୁଣର ଆବଶ୍ୟକତା ରହିଛି।କିନ୍ତୁ ଚଳିତ ବର୍ଷ ଘରୋଇ ଉତ୍ପାଦନ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିବାରୁ ଆମଦାନୀ ବୃଦ୍ଧି କରିବା ପାଇଁ ସରକାରଙ୍କ ଉପରେ ଚାପ ପଡୁଥିବା ଦେଖାଯାଉଛି।
Comments are closed.