ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଲାଲୁପ୍ରସାଦ ଯାଦବଙ୍କ ଘର କଳିକୁ ନେଇ ଉଠୁଛି ପଡୁଛି ବିହାର ରାଜନୀତି। ଅନୁଷ୍କା ଯାଦବଙ୍କ ସହ ଫଟୋ ଭାଇରାଲ୍ ହେବା ସହ ୧୨ବର୍ଷ ପୁରୁଣା ସଂପର୍କ ନେଇ ସୋସିଆଲ ମିଡିଆରେ ଖୁଲାସା କରିଥିଲେ ତେଜପ୍ରତାପ। ବିବାଦ ବଢିବା ଦେଖି ତେଜପ୍ରତାପଙ୍କୁ ଲାଲୁ ପାର୍ଟି ତଥା ପରିବାରରୁ ବାହାର କରି ଦେଇଛନ୍ତି । ତେଜପ୍ରତାପ ଅନୁଷ୍କାଙ୍କ ସହ ନିଜ ଫଟୋକୁ ଫର୍ଜି କହି ନିଜକୁ ବିବାଦରୁ ଦୂରେଇବାକୁ ଉଦ୍ୟମ କରୁଥିବା ବେଳେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଲାଲୁ । ତେବେ ପ୍ରଶ୍ନ ଉଠୁଛି, ଆଗାମୀ ବିହାର ନିର୍ବାଚନ ଉପରେ ଏହାର କି ପ୍ରଭାବ ପଡିବ? ନିର୍ବାଚନ ପୂର୍ବରୁ ଏହା ଲାଲୁଙ୍କ ମାଷ୍ଟରଷ୍ଟ୍ରୋକ୍ ନା ବିବାଦରେ ଏଣ୍ଟ୍ରି ମାରି ସେଲଫ ଗୋଲ୍ କରିଛନ୍ତି ଲାଲୁ?
ତେଜପ୍ରତାପଙ୍କ ବିବାଦୀୟ ପୋଷ୍ଟ
ନିକଟରେ ଅନୁଷ୍କା ଯାଦବଙ୍କ ସହ ନିଜ ଫଟୋ ପୋଷ୍ଟ କରିଥିଲେ ତେଜପ୍ରତାପ ଯାଦବ । କ୍ୟାପସନରେ ଲେଖିଥିଲେ, ସେ ଓ ଅନୁଷ୍କା ୧୨ବର୍ଷ ଧରି ପରସ୍ପରକୁ ଭଲ ପାଉଛନ୍ତି । ଉଭୟ ୧୨ବର୍ଷ ଧରି ସଂପର୍କରେ ଥିବା ଲେଖିଥିଲେ ତେଜପ୍ରତାପ । ତାଙ୍କର ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ତେଜପ୍ରତାପ ଓ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟାଙ୍କର ଛାଡ଼ପତ୍ର ମାମଲା କୋର୍ଟରେ ରହିଥିବା ବେଳେ ୧୨ବର୍ଷର ସଂପର୍କ କଥା କହି ଫସି ଯାଇଥିଲେ ତେଜପ୍ରତାପ । ଏହା ମଧ୍ୟରେ ତେଜପ୍ରତାପ ଓ ଅନୁଷ୍କାଙ୍କର ଅନେକ ଫଟୋ ଭାଇରାଲ୍ ହୋଇଥିଲା । ଏଥିରେ କିଛି ଫଟୋରେ ଅନୁଷ୍କା ମଥାରେ ସିନ୍ଦୂର ଲଗାଇଥିଲେ । ବିବାଦ ବଢିବା ପରେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଥିବା କହି ବିବାଦରୁ ମୁକୁଳିବାକୁ ଉଦ୍ୟମ କରିଥିଲେ ତେଜପ୍ରତାପ। ଏପରିକି ଫଟୋକୁ ଏଆଇରେ ତିଆରି କରି ପୋଷ୍ଟ କରାଯାଇଥିବା କହିଥିଲେ । ହେଲେ ପୋଷ୍ଟକୁ ମିଛ ପ୍ରମାଣ କରିବାରେ ବିଫଳ ହୋଇଥିଲେ ତେଜପ୍ରତାପ ।
ଲାଲୁଙ୍କ ନିଷ୍ପତି…ଠିକ୍ ନା ଭୁଲ?
ତେଜପ୍ରତାପ ବିବାଦରେ ଫସିବା ପରେ ତାଙ୍କୁ ପରିବାର ତଥା ପାର୍ଟିରୁ ବହିଷ୍କାର କରିଥିବା ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ଲାଲୁ । ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅବହେଳା କରିବା ସାମାଜିକ ନ୍ୟାୟ ପାଇଁ ସାମୂହିକ ସଂଘର୍ଷକୁ ଦୁର୍ବଳ କରେ । ସେଥିପାଇଁ ସେ ବଡ ପୁଅ ତେଜପ୍ରତାପଙ୍କୁ ପାର୍ଟି ଓ ପରିବାରରୁ ଦୂରେଇଥିବା ଲାଲୁ କହିଥିଲେ । ଏହାଦ୍ବାରା ଲାଲୁ ସାମାଜିକ ମୂଲ୍ୟବୋଧ ଓ ନୈତିକତା ପାଇଁ ବୁଝାମଣା କରିବେ ନାହିଁ ବୋଲି ସିଧା ସନ୍ଦେଶ ଦେଇଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ଏହି ବିବାଦକୁ ନେଇ ବିରୋଧୀଙ୍କ ହାତରେ ଅସ୍ତ୍ର ଦେବାକୁ ଚାହିଁନାହାନ୍ତି ଲାଲୁ । ତେବେ ଲାଲୁଙ୍କ ଏହି ଗୋଟି ତାଙ୍କ ପାଇଁ ସେଲଫ ଗୋଲ୍ ହୋଇପାରେ ବୋଲି ବି ଚର୍ଚ୍ଚା ହେଉଛି । କାରଣ ନିଜେ ତେଜପ୍ରତାପ ଫଟୋକୁ ଏଆଇ ଦ୍ବାରା ତିଆରି ହୋଇଥିବା କହୁଥିବା ବେଳେ ମାମଲା ଦର୍ଜ କରି ଏହାର ଯାଞ୍ଚ ଦାବି କରିପାରିଥାନ୍ତେ ଲାଲୁ। ୪, ୬ମାସ ପରେ ଫଟୋ ସତ ଜଣା ପଡିଥିଲେ ଆକ୍ସନ୍ ନେଇପାରିଥାନ୍ତେ । କିନ୍ତୁ ଆଗୁଆ ଆକ୍ସନ ନେଇ ଫଟୋ ଉପରେ ଏକପ୍ରକାର ମୋହର ଲଗାଇଛନ୍ତି ଲାଲୁ ।
ନିର୍ବାଚନରେ କ୍ଷତି ସହିବ ଆରଜେଡି !
ତେଜପ୍ରତାପ ଓ ଐଶ୍ବର୍ଯ୍ୟାଙ୍କ ବିବାହ ୨୦୧୮ରେ ହୋଇଥିଲା । ତେବେ କିଛି ମାସ ହିଁ ଚାଲି ପାରିଥିଲା ବିବାହ । ତେଜପ୍ରତାପ ବିବାଦ ସାମନାକୁ ଆସିବା ପରଠୁ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ଐଶ୍ବର୍ଯ୍ୟା । ଯଦି ନିର୍ବାଚନ ପର୍ଯ୍ୟନ୍ତ ସେ ଏଭଳି ପୋଷ୍ଟ କରନ୍ତି, ତେବେ ଆରଜେଡି ପାଇଁ ସମସ୍ୟା ବଢିପାରେ । ଜେଡିୟୁ ହେଉ କି ବିଜେପି କିମ୍ବା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ଦଳ, ବିବାଦକୁ ନେଇ ସମସ୍ତେ ଲାଲୁଙ୍କ ପରିବାରକୁ ଜବାବ ମାଗୁଛନ୍ତି । ଆଗାମୀ ନିର୍ବାଚନରେ ବିହାରରେ ମହିଳାଙ୍କ ସହ ଅନ୍ୟାୟ ପ୍ରସଙ୍ଗ ଜୋରସୋରରେ ଉଠାଇ ପାରିଥାନ୍ତା ଆରଜେଡି । ହେଲେ ଏବେ ପ୍ରସଙ୍ଗ ଉଠିଲେ ତେଜପ୍ରତାପଙ୍କ ବିବାଦ ଓ ଐଶ୍ବର୍ଯ୍ୟାଙ୍କୁ ନ୍ୟାୟ ନେଇ ପ୍ରଶ୍ନ ଉଠିବ । ଘରେ ବୋହୂ ସହ ଅନ୍ୟାୟ ରୋକି ପାରିଲେନି ଲାଲୁ, ତାଙ୍କ ଦଳ କେମିତି ବିହାରର ମହିଳାଙ୍କୁ ନ୍ୟାୟ ଦେବ । ତେଜସ୍ବୀ କିମ୍ବା ଲାଲୁଙ୍କ ପରିବାରର ସଦସ୍ୟ ଯେଉଁଠି ବି ପ୍ରଚାର କରିବାକୁ ଯିବେ, ସେଠାରେ ତେଜପ୍ରତାପ, ଐଶ୍ବର୍ଯ୍ୟା ଓ ଅନୁଷ୍କାଙ୍କୁ ପ୍ରଶ୍ନ ଉଠିବ । ସେତେବେଳେ ତେଜପ୍ରତାପଙ୍କୁ ପାର୍ଟି ଓ ପରିବାରରୁ ଦୂରେଇଥିବା ନେଇ କହିପାରନ୍ତି ଲାଲୁଙ୍କ ପରିବାର । ତେବେ ଏହାର ପ୍ରଭାବ ଜନତାଙ୍କ ଉପରେ କିଭଳି ପଡିବ, ତାଉପରେ ନଜର ରହିବ ।
Comments are closed.