ଭୁବନେଶ୍ବର: କୋଭିଡ-୧୯ ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। ଧୀରେଧୀରେ ବ୍ୟାପିବାରେ ଲାଗିଛି। ଭାରତରେ କୋଭିଡ-୧୯ ଦୁଇଟି ନୂତନ ଭାରିଆଣ୍ଟ୍ NB.1.8.1 ଏବଂ LF.7 ଚିହ୍ନଟ ହୋଇଛି । ମଙ୍ଗଳବାର ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭ ଛୁଇଁଛି। ଏବେ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ତେବେ ଏପରି ପରିସ୍ଥିତିରେ ଯେକୌଣସି ପ୍ରକାରର ସଂକ୍ରମଣକୁ ରୋକିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଭଲ ରହେ, ତେବେ ସଂକ୍ରମଣରୁ ସୁସ୍ଥ ହେବା ପାଇଁ ଆପଣଙ୍କୁ କମ୍ ସମୟ ଲାଗେ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆପଣ ଘରେ କାଢା ତିଆରି କରି ପିଇପାରିବେ, ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ।
-ଗିଲୋୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥିରୁ କାଢା ମଧ୍ୟ ପ୍ରସ୍ତୁତ କରାଯାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ। ଏହାକୁ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଦୁଇ କପ ପାଣି ନେବେ । ସେଥିରେ ଅଦା,ହଳଦୀ, ତୁଳସୀ ପତ୍ର ପକେଇ କମ୍ ଆଞ୍ଚରେ ଫୁଟାନ୍ତୁ । ସେହି ପାଣି ଅଧା ହୋଇଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ସେହି କାଢାକୁ ଛାଣିକି ପିଅନ୍ତୁ ।
-ମୁଲେଠୀରେ ଥିବା ଗୁଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ। ଏହାର କାଢା ତିଆରି କରିବା ପାଇଁ ଏକ ପ୍ୟାନରେ ଆବଶ୍ୟକତା ଅନୁସାରେ ପାଣି ନେଇ କମ୍ ଆଞ୍ଚରେ ରଖନ୍ତୁ। ସେଥିରେ ତୁଳସୀ ପତ୍ର ଏବଂ ଅଦା ପକାନ୍ତୁ । ଏହା ପରେ ମୁଲେଠୀ ପାଉଡର ଏବଂ ହଳଦୀ ପକାଇ ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଉଦାହରଣ ସ୍ୱରୂପ, ଯଦି ଆପଣ ୨ ଗ୍ଲାସ ପାଣି ନେଇଛନ୍ତି, ତେବେ ପାଣି ୧ ଗ୍ଲାସ ହେବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଏହାକୁ ଟିକେ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ପିଅନ୍ତୁ ।
– ତୁଳସୀ କାଢା ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନରେ ପାଣି ନେଇ କମ୍ ଆଞ୍ଚରେ ରଖନ୍ତୁ। ଏହା ପରେ ସେହି ପାଣିରେ ଅଦା, ଗୋଲମରିଚ, ହଳଦୀ ଏବଂ ତୁଳସୀ ପତ୍ର ପକାନ୍ତୁ। ଏହାକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ଅଧା ହୋଇଗଲେ ଗ୍ୟାସ ବନ୍ଦ କରି ଛାଣି ଦିଅନ୍ତୁ। ଏଥିରେ ସ୍ବାଦ ହିସାବରେ ଗୁଡ ମିଶେଇ ଚାହା ଭଳି ପିଅନ୍ତୁ ।
-ଡାଲଚିନି ଏବଂ ଲବଙ୍ଗର କାଢା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହି କାଢା ପ୍ରସ୍ତୁତ କରିବା ପାଇଁ, ୧ କପ୍ ପାଣିରେ ୩ ଟି ଲବଙ୍ଗ ଏବଂ ୧ ଇଞ୍ଚ ଡାଲଚିନି ନେଇ ଫୁଟାନ୍ତୁ। ପାଣି ଅଧା ହୋଇଯିବା ପରେ ଗ୍ୟାସ୍ ବନ୍ଦ କରିଦେବେ। ଏହାକୁ ଛାଣି ଉଷୁମ ଉଷୁମ ପିଅନ୍ତୁ।
-ଥଣ୍ଡା କାଶ ଭଳି ସମସ୍ୟାରେ ଓ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ହଳଦୀ କାଢା ବେଶ୍ ଲାଭଦାୟକ । ଏହାକୁ ତିଆରି କରିବା ପାଇଁ ଏକ ପାତ୍ରରେ ପାଣି ନିଅନ୍ତୁ ଏବଂ ସେଥିରେ ହଳଦୀ ଖଣ୍ଡ କିମ୍ବା ହଳଦୀ ପାଉଡର ପକାଇ ମିଶାନ୍ତୁ। ପାଣି ଅଧା ହୋଇଯିବା ପରେ ଗ୍ୟାସ୍ ବନ୍ଦ କରିଦେବେ। ଏହାକୁ ଉଷୁମ ଉଷୁମ ପିଇବେ ।
କାଢା ତିଆରି କରିବା ପାଇଁ ବ୍ୟବହୃତ ଅଧିକାଂଶ ସାମଗ୍ରୀ ଶରୀରକୁ ଗରମ କରିଥାଏ । ତେଣୁ ଏହି ଗ୍ରୀଷ୍ମ ଋତୁରେ ଏହାକୁ ସୀମିତ ପରିମାଣରେ କିମ୍ବା କମ୍ ସେବନ କରନ୍ତୁ ।
Comments are closed.