ଭୁବନେଶ୍ବର:ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଘଡଘଡି ସହ ପବନ ବହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୩୧ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ପାଣିପାଗ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ କମିଶନର (SRC) ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିମ୍ନାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ସୁନିଶ୍ଚିତ କରିବା ଏବଂ ଆବଶ୍ୟକ ସ୍ଥାନରେ ପମ୍ପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବର୍ଷାଜନିତ ବନ୍ୟା ଓ ଅନ୍ୟାନ୍ୟ ସମସ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବଜ୍ରପାତ ଅଘଟଣ ଏଡ଼ାଇବା ସହ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି । ବର୍ଷାଜନିତ କ୍ଷୟକ୍ଷତି ବାବଦରେ ତୁରନ୍ତ ରିପୋର୍ଟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩୧ ତାରିଖ ଯାଏଁ ଗଭୀର ସମୁଦ୍ରକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ଆଜି ପାଇଁ ୪ ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ଝଟକା ପବନର ବେଗ ୪୦-୫୦କି.ମି ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ଏଥିସହ ଅବଶିଷ୍ଟ ଓଡ଼ିଶାରେ ବି ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ବେର,ଭଦ୍ରକ,ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ,ଗଜପତି, ରାୟଗଡା, କୋରାପୁଟ, ନୂଆପଡା, ବରଗଡ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼,ଝାରସୁଗୁଡା, ସମ୍ବଲପୁର, ବୌଦ୍ଧରେ ପ୍ରବଳ ବର୍ଷା ହେବା ସହ ୪୦-୫୦କି.ମି ପ୍ରତି ଘଣ୍ଟା ପବନର ଝଟ୍କା ଅନୁଭୂତ ହୋଇପାରେ।
ଲଘୁଚାପ ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ଅନ୍ୟପକ୍ଷେ ମୌସୁମୀ ବର୍ଷା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି ଯେ, ଜୁନ ମାସରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ IMD ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Comments are closed.