Latest Odisha News

ଅବପାତରେ ପରିଣତ ହେଲା ଲଘୁଚାପ: ୨ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଅବପାତରେ ପରିଣତ ହେଲା ଲଘୁଚାପ। ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି । ଏହା ପାରାଦୀପ ଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୧୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।

ଏହା ଉତ୍ତର ଆଡ଼କୁ ଗତି କରିବା ସହ ଆହୁରି ଘନୀଭୂତ ହୋଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳକୁ ସାଗର ଦୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ମଧ୍ୟାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି। ପ୍ରଭାବରେ ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାବେଳେ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ସେହିପରି ଅନ୍ୟ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଛୁଇଁଥାଏ। ହେଲେ ଏଥର ସଅଳ ଛୁଇଁଛି। ଦକ୍ଷିଣ ଓଡ଼ିଶାର ମାଲକାନାଗିରି, କୋରାପୁଟ ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସେହିପରି ନବରଙ୍ଗପୁର, କଳାହାଣ୍ଡି,ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ବି ସ୍ପର୍ଶ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଏବେ ପାଗ ଅନୁକୂଳ ରହିଛି।

Comments are closed.