Latest Odisha News

BREAKING NEWS

ପାକ୍ ଆକ୍ରମଣରେ ପ୍ରଭାବିତ ଗୁରୁଦ୍ୱାର ପରିଦର୍ଶନ କଲେ ଅମିତ ଶାହ, ପୀଡିତ ପରିବାରକୁ ବାଣ୍ଟିଲେ ନିଯୁକ୍ତି ପତ୍ର

ଶ୍ରୀନଗର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତରେ ସେ ପାକିସ୍ତାନର ଗୁଳିମାଡ଼ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ ଏବଂ ପାକିସ୍ତାନର ଆକ୍ରମଣରେ ପ୍ରଭାବିତ ସିଂହ ସଭା ଗୁରୁଦ୍ୱାର ପରିଦର୍ଶନ ମଧ୍ୟ କରି ସେଠାରେ ପୂଜା କରିଥିଲେ। ଏହାପରେ ଗୀତା ଭବନ ମନ୍ଦିର ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରିଥିଲେ ।

ପୁଞ୍ଚରେ ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ବ୍ୟବସାୟ କ୍ଷତି ସହିଛି। ଜମ୍ମୁ-କାଶ୍ମୀର ସରକାର ଏପରି ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଏବେ ଭାରତ ସରକାର ମଧ୍ୟ ସେମାନଙ୍କ ପାଇଁ ଏକ ପ୍ୟାକେଜ୍ ଆଣିବେ ବୋଲି ଶାହ କହିଛନ୍ତି । ଏଥିସହ ଅମିତ ଶାହ ପୁଞ୍ଚର ଲୋକମାନଙ୍କୁ କହିଥିଲେ ଯେ ଆପଣଙ୍କ ପରିବାର ଯେଉଁ କ୍ଷତି ସହିଛି, ସେଥିରେ ସାରା ଦେଶ ଆପଣଙ୍କ ସହିତ ପଥର ପରି ଠିଆ ହୋଇଛି।

ଏହି ସମୟରେ ସେ କହିଥିଲେ ଯେ, ପୁଞ୍ଚର ଲୋକମାନେ ଏବଂ ଏହାର ଅଧିକାରୀମାନେ ଦେଖାଇଥିବା ସାହସିକତା ଓ ଦେଶପ୍ରେମର ଭାବନା ଜମ୍ମୁ-କାଶ୍ମୀରର ଲୋକଙ୍କ ମଧ୍ୟରେ ପୁଞ୍ଚ ଏବଂ କଠୁଆ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି, ଯାହା ସମଗ୍ର ଦେଶର ଲୋକଙ୍କ ଶକ୍ତିକୁ ବୃଦ୍ଧି କରିଛି।

ଏହାସହିତ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପତ୍ର ଦେଇଛନ୍ତି ଗୃହମନ୍ତ୍ରୀ । ଜମ୍ମୁ-କାଶ୍ମୀରର ବିକାଶ ଥମିବନି, ପୂର୍ବ ଭଳି ବିକାଶ କାର୍ଯ୍ୟ ଜାରି ରହିବ ବୋଲି ଶାହ କହିଛନ୍ତି । ଖାଲି ସେତିକି ନୁହେଁ ଜମ୍ମୁ କାଶ୍ମୀର ସରକାର, କେନ୍ଦ୍ର ସରକାର ଏବଂ ଦେଶବାସୀଙ୍କ ଭାବନା ଆପଣଙ୍କ ସହିତ ଜଡିତ ହୋଇ ରହିଛି ବୋଲି ଅମିତ ଶାହ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, “ପାକିସ୍ତାନ ଜାମ୍ମୁ କାଶ୍ମୀରର ସାଧାରଣ ଅଞ୍ଚଳକୁ ଟାର୍ଗେଟ କରିଥିଲା ​​ଏବଂ ପୁଞ୍ଚ ସର୍ବାଧିକ କ୍ଷତି କରିଥିଲା। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପୁଞ୍ଚରେ ଗୁଳିଚାଳନା କରାଯାଇଥିଲା । ସମଗ୍ର ବିଶ୍ୱ ପାକିସ୍ତାନର ଆକ୍ରମଣକୁ ନିନ୍ଦା କରୁଛି । ଭାରତୀୟ ସଶସ୍ତ୍ର ବାହିନୀ ନଅଟି ପାକିସ୍ତାନୀ ବାୟୁସେନା ଘାଟି ନଷ୍ଟ କରି ଉପଯୁକ୍ତ ଜବାବ ଦେଇଥିଲା ଏବଂ ଫଳସ୍ୱରୂପ ସେମାନଙ୍କୁ ଯୁଦ୍ଧବିରତି ପାଇଁ ଆଗକୁ ଆସିବାକୁ ପଡିଲା”

ଏଥିସହ ଗୃହମନ୍ତ୍ରୀ ଚଳିତ ବର୍ଷ ଜୁଲାଇ ୩ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ପାଇଁ ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ।

Comments are closed.